ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଗସ୍ତ: ଆଜି ଶିବାମୋଗା ବିମାନବନ୍ଦର ଉଦଘାଟନ କରିବେ

ନୂଆଦିଲ୍ଲୀ,ଏଜେନ୍ସି: ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ପିଏମ୍ କିଷାନ ଯୋଜନା ଅଧୀନରେ କିସ୍ତି ରାଶି ଓ ଏକାଧିକ ବିକାଶମୂଳକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।

ଶିବାମୋଗା ବିମାନବନ୍ଦରର ଉଦଘାଟନ: ଆଜି କର୍ଣ୍ଣାଟକର ଶିବାମୋଗାରେ ୩,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁ ବିକାଶମୂଳକ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଦିନ ୧୧ଟା ୪୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ଶିବାମୋଗା ବିମାନବନ୍ଦରର ଉଦଘାଟନ କରିବେ । ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ବିମାନବନ୍ଦର ନିର୍ମାଣ କରାଯାଇଛି । ଏହାପରେ ଏଠାରେ ଦୁଇଟି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସେହିପରି ସଡ଼କ ବିକାଶ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।

ଏହାପରେ ଜଳ ଜୀବନ ମିଶନ ଅଧୀନରେ ୯୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମଲ୍ଟି ଭିଲେଜ ଗୁଡିକର ଉଦ୍‌ଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ଶିବାମୋଗା ସହରରେ ୮୯୫ କୋଟି ଟଙ୍କା ବ୍ୟୟରେ ୪୪ଟି ସ୍ମାର୍ଟ ସିଟି ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରାଯିବ । ଏହି ପ୍ରକଳ୍ପ ଗୁଡିକରେ ୧୧୦ କିଲୋମିଟର ଲମ୍ବର ୮ଟି ସ୍ମାର୍ଟ ରୋଡ୍ ଅନ୍ତର୍ଭୁକ୍ତ ।