ସିସୋଦିଆଙ୍କ ଗିରଫ ପରେ ଦିଲ୍ଲୀରେ ରାଜନୀତି ସରଗରମ

ନୂଆଦିଲ୍ଲୀ,ଏଜେନ୍ସି: ଅବକାରୀ ପିଲିସି ଦୁର୍ନୀତି ମାମଲାରେ ଦଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଜେରା ଓ ପରେ ବିଳମ୍ବିତ ଅପରାହ୍ନରେ ଗିରଫ କରାଯିବା ପ୍ରସଙ୍ଗକୁ ନେଇ ଦିନ ତମାମ ଦିଲ୍ଲୀ ରାଜନୀତିରେ ସରଗରମ ଲାଗି ରହିଛି । ସିବିଆଇର ଗିରଫଦାରୀକୁ ନେଇ ସିଧାସଳଖ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ବର୍ଷିଛି ଆମ ଆଦମୀ ପାର୍ଟି । ଏହି କାର୍ଯ୍ୟାନୁଷ୍ଠାନ ରାଜନୈତିକ ଅସହିଷ୍ଣୁତା ଓ ଏକଛତ୍ରବାଦ ବୋଲି କହିବା ସହ ଏହା ଗଣତନ୍ତ୍ର ପାଇଁ କଳାଦିନ ବୋଲି ଏଏପି କହିଛି ।

ଦିନ ତମାମ ସିସୋଦିଆଙ୍କୁ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ସଂଧ୍ୟାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ସନ୍ତୋଷଜନକ ଉତ୍ତର ନମିଳିବା ଓ ତଦନ୍ତରେ ସହଯୋଗ ନକରିବା କାରଣରୁ ତାଙ୍କୁ ଗିରଫ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଗିରଫଦାରୀ ସୂଚନା ମିଳିବା ପରେ ଆମ ଆଦମୀ ପାର୍ଟିର ନେତା ଓ କର୍ମୀ ସିବିଆଇ ମୁଖ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ର ଓ ବିଜେପି ବିରୋଧୀ ନାରାବାଜୀ କରିଛନ୍ତି । ସିବିଆଇ ମୁଖ୍ୟାଳୟ ବାହାରେ ଧାରା ୧୪୪ ଜାରି କରାଯିବା ସହ ପୋଲିସ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନରେ ଧାରଣାରେ ବସିଥିବା ଆପର ପ୍ରାୟ ୫୦ କର୍ମକର୍ତ୍ତାଙ୍କୁ ପୋଲିସ ସିବିଆଇ ମୁଖ୍ୟାଳୟ ସାମ୍ନାରୁ ଉଠାଇ ନେଇ ଅଟକ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଛାଡିନଥିବା ଜଣାପଡିଛି ।