ମୁନିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ବନାଞ୍ଚଳରେ ମହାବଳ ବାଘର ଆତଙ୍କ ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ତେଲେଙ୍ଗା ପଦରରେ ବାଘର ଗତିବିଧି ବିଷୟରେ ଖବର ଶୁଣିବାକୁ ମିଳିଥିବାବେଳେ ଆଜି ମୁନିଗୁଡ଼ା ବ୍ଲକ୍ ସିବପଦର ପଞ୍ଚାୟତ ବନ୍ଧଗୁଡ଼ା ଜଙ୍ଗଲ ଓ ମୁନିଗୁଡ଼ା-ଅମ୍ବାଦଳା ରାସ୍ତା ଜଙ୍ଗଲ ମଧ୍ୟରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଏହାସହ ଏକ ମଇଁଶି ଛୁଆକୁ ମାରିଥିବାର ଖବର ବନ କର୍ମଚାରୀଙ୍କଠାରୁ ହସ୍ତଗତ ହୋଇଛି । ବାଘର ପାଦ ଚିହ୍ନକୁ ନିରୀକ୍ଷଣ କଲେ ଏହା ଏକ ମହାବଳ ବାଘର ବୋଲି ଜଣାଯାଉଛି । ଏହି ବାଘଟି ଖାଦ୍ୟ ଅନ୍ୱେଷଣରେ ଏଣେତେଣେ ଘୁରି ବୁଲୁଥିବା ନେଇ ମଧ୍ୟ ଅନୁମାନ କରାଯାଉଛି । ସେଥିପାଇଁ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର ବଳଙ୍କ ନେତୃତ୍ୱରେ ବାନପାଳ ପ୍ରମୋଡିନି ମାଣ୍ଡିଙ୍ଗି, ବନରକ୍ଷୀ ରୋନିତ କୁମାର ମହାରଣା, ସୁରେଶ ପାତ୍ର ଓ ସୋନାଲି ସ୍ୱାଇଁଙ୍କ ସହିତ ବନ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତାମାନେ ବାଘର ଗତିବିଧି ସମ୍ପର୍କରେ ତନଖି କରିବା ସହ ଲୋକଙ୍କୁ ସଚେତନ ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ବନ୍ଧାଗୁଡ଼ା ବନାଞ୍ଚଳରେ ଜଗି ରହିଛନ୍ତି ।