ରେଳବାଇ ପାଶ୍ୱର୍ରୁ ଉଚ୍ଛେଦ ହେବ ୫୦ରୁ ଊର୍‌ଦ୍ଧ୍ୱ ଦୋକାନ ଘର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସଦର ମହକୁମାର ରେଳବାଇ ପାଖ ଜାଗାରେ ଥିବା ଲୋକଙ୍କୁ ଆସନ୍ତା ୬ ତାରିଖ ଦିନ ଉଚ୍ଛେଦ କରାଯିବ ବୋଲି ରେଳ ବିଭାଗର ସେକ୍ସନ ଇଞ୍ଜିନିୟରିଂ ୱାର୍କ ସୂତ୍ରରୁ ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ରେଳବାଇ ଜାଗାରେ ଦୋକାନ କରିଥିବା ୫୦ରୁ ଊର୍‌ଦ୍ଧ୍ୱ ବ୍ୟବସାୟୀଙ୍କୁ ଜାଗା ଖାଲି କରିବାକୁ ବାରମ୍ବାର ନୋଟିସ ଦିଆଯାଇଥିଲେ ସୁଧା ବ୍ୟବସାୟୀମାନେ ଜାଗା ଖାଲି କରିନାହାନ୍ତି । ସେଥିପାଇଁ ସମ୍ବଲପୁର ରେଲୱେ ଡିଭିଜନ ଚିଠି ନମ୍ବର ଏଲସି/ଏସବିପି/ଇଏନଜିବି/ଏନସି/ମୁନିଗୁଡ଼ା ୦୪ ଅନୁଯାୟୀ ମୁନିଗୁଡ଼ା ରେଲବାଇ ପୁଲିସ, ଆରପିଏଫ, ବିଷମକଟକ ଏସଡିପିଓ, ଥାନା ଆଇଆଇସି ଓ ମାଜିଷ୍ଟ୍ରେଟଙ୍କ ସମେତ ୨୦୦ରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇ ରେଳବାଇ ଷ୍ଟେସନ ଛକରୁ ସହିଦ ଲକ୍ଷ୍ମଣ ନାୟକ ଛକ ପର୍ଯ୍ୟନ୍ତ ଏହି ଉଛେଦ ପ୍ରକିୟା କରାଯିବ । ରେଳ ବିଭାଗ ତରଫରୁ ୪ଟି ପ୍ରକଲିନ ଓ ୨ଟି ବୁଲଡଜୋର ସମେତ ଏକ ଅତ୍ୟାଧୁନିକ ମେସିନ ନିୟୋଜିତ କରାଯିବ ବୋଲି ସିନିୟର୍ ସେକ୍ସନ ଇଞ୍ଜିନିୟର(ୱର୍କ ) ୟୁଏନ୍ କଚିଣ୍ଡିଆ ଏକ ଲିଖିତ ପ୍ରେସ ବିବୃତିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଅନ୍ୟପଟେ ବେପାରୀମାନେ ସେମାନଙ୍କ ଦୀର୍ଘ ଦିନର ବେପାରକୁ ନେଇ କେଉଁଠି ମୁଣ୍ଡ ଗୁଞ୍ଜିବେ ଏବଂ ତେଲ ଲୁଣ ସଂସାର କିପରି ଚାଲିବ ସେନେଇ ଆତଙ୍କିତ ଅବସ୍ଥାରେ ଦିନ ଗଣୁଛନ୍ତି । ସେମାନଙ୍କୁ ସରକାର ଥଇଥାନ କଲା ପରେ ଉଚ୍ଛେଦ ପ୍ରକ୍ରିୟା ହେବ ବୋଲି ସେମାନେ ଆଶା କରିଥିଲେ । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସାୟୀଙ୍କ ପ୍ରତି ସାମାନ୍ୟ ଅନୁକମ୍ପା ନଥିଲା ପରି ଲାଗୁଛି ବୋଲି ବ୍ୟବସାୟୀମାନେ କହୁଛନ୍ତି ।