ହୋମଗାର୍ଡ ହତ୍ୟା ମାମଲାରେ ୩୬ ଅଭିଯୁକ୍ତ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ଗତ ୫ ତାରିଖ ରାତିରେ ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ହୋମଗାର୍ଡଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରି ପୁଲିସ ୩୬ ଜଣଙ୍କୁ ଗିରଫ କରିଛି। ଏଥିସହ ମୁଖ୍ୟ ଆସାମୀମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ମାଲାକନଗିରି ଏସପି ରିଷିକେଷ୍ ଡି ଖିଲାରି ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣରେ ସଂମ୍ପୃକ୍ତ ଓ ରାଜ୍ୟ ବାହାର ମାଫିଆମାନଙ୍କୁ ସହଯୋଗ କରୁଥିବା ଲୋକମାନଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଏସପି କହିଛନ୍ତି। ଗିରଫ ୩୬ ଜଣ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ, କସାଗୁମୁଡା, ଉମରକୋଟ, ବଡମୁଣ୍ଡା, ସିଙ୍ଗସାଣି, ନବରଙ୍ଗପୁର, କୋଡିଗାଁ ଓ କୋରାପୁଟ ଜିଲ୍ଲାର କୋଟପାଡ ଓ କୋଡିଙ୍ଗା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ୧୯୧୭ କେଜି ଗଞ୍ଜେଇ, ଦୁଇଟି ଅଟୋ ରିକ୍ସା, ଛଅ ଟି ମୋବାଇଲ, ୩୦ ହଜାର ଟଙ୍କା ନଗଦ ଜବତ କରାଯାଇ ମାଥିଲି ଥାନାରେ କେଶ ରୁଜୁ କରାଯାଇଛି ବୋଲି ଏସପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି।