ମହିଳା ବିରୋଧୀ ସାଂସଦଙ୍କୁ ଦଳରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ନୁଭବ-ବର୍ଷା କଳିକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର, ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ଅତ୍ୟାଚାର ଏବଂ ଭରଣପୋଷଣ ଅର୍ଥ ପ୍ରଦାନ ନେଇ ମାମଲା ରୁଜୁ କରିବା ପରେ ରାଜନୀତି ଜୋର ଧରିଛି। ସୋମବାର ଏନେଇ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ବର୍ଷାଙ୍କୁ ନ୍ୟାୟ ପ୍ରଦାନ ସହ ବିଜେଡିରୁ ଅନୁଭବଙ୍କ ବହିଷ୍କାର କରାଯାଉ ବୋଲି ଦାବି କରାଯାଇଛି। କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଆଦୌ ଉଚିତ୍ ନୁହେଁ। ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ କିମ୍ବା ରୋଲ ମଡେଲଙ୍କ ଏଭଳି କିଛି ମହିଳା ହିଂସାରେ ଲିପ୍ତ ଥିବା ଘଟଣା ଲୋକଲୋଚନକୁ ଆସିବ ସେତେବେଳେ ମହିଳା ସୁରକ୍ଷା ଦୃଷ୍ଟିରୁ ଏହାକୁ ମହିଳା ମୋର୍ଚ୍ଚା ତରଫରୁ ପ୍ରତିବାଦ କରିବା ଆମର ପ୍ରାଥମିକ ଦାୟିତ୍ୱ ବୋଲି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଲେ ଯେ ଓଡ଼ିଶାର ଜଣେ ଜଣାଶୁଣା ଅଭିନେତ୍ରୀ ବର୍ଷାଙ୍କ ପ୍ରତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜଣେ ସାମ୍ବିଧାନିକ ପଦାଧିକାରୀ, ଲୋକପ୍ରତିନିଧି ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା କାରଣରୁ ବିଜେପି ମହିଳା ମୋର୍ଚ୍ଚା ବାଧ୍ୟ ହୋଇ ଘଟଣାରେ ହସ୍ତକ୍ଷେପ କରୁଛି। ମହିଳା ବିରୋଧୀ ଓ ଅତ୍ୟାଚାରୀମାନେ କେବେହେଲେ ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ ପଦବୀରେ ରହିବା ଅନୁଚିତ୍। ଯଦି ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଥାଆନ୍ତି କିମ୍ବା ଅଭିଯୋଗ ଆସେ, ତାହେଲେ ସେ ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦେବା ଉଚିତ୍। ନହେଲେ ସମାଜକୁ ଏକ ଭୁଲ୍ ସମ୍ବାଦ ଯିବ। ଘଟଣାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୋଇଛି ଯେ, ସାଂସଦ ଶ୍ରୀ ମହାନ୍ତି ଘରୋଇ ଅତ୍ୟାଚାର ଓ ନିଜ ପତ୍ନୀଙ୍କୁ ଅତ୍ୟାଚାର ଦେବାରେ ଚରମ ସୀମା ଉଲ୍ଲଂଘନ କରିଛନ୍ତି ।

ପତ୍ନୀ ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ପତି ଅନୁଭବ ତାଙ୍କୁ ଯୌତୁକ, ଶାରରୀକ, ମାନସିକ ଅତ୍ୟାଚାର କରିବା ସହ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ଏପରିକି ସେ ଜଣେ ଅଭ୍ୟାସଗତ ମଦ୍ୟପ ବୋଲି ମଧ୍ୟ ବର୍ଷା ଅଭିଯୋଗ କହିଛନ୍ତି। ସାଂସଦ ଭଳି ସାମ୍ବିଧାନିକ ପଦରେ ଥିବା ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ଜାଜନକ ଏବଂ ତାଙ୍କର ଏଭଳି କାର୍ଯ୍ୟକଳାପ ସମଗ୍ର ରାଜ୍ୟବାସୀଙ୍କୁ ଲଜ୍ଜିତ ଓ ନିନ୍ଦିତ କରିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ରାଜ୍ୟର ମା ଓ ଭଉଣୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କୁ ମହିଳା ବିରୋଧୀ ବୋଲି ବାରମ୍ବାର ଅଭିଯୋଗ କରିବା ସତ୍ୱେ ପ୍ରଶାସନ ଓ ପୁଲିସକୁ ବ୍ୟବହାର କରି ଘଟଣାଗୁଡ଼ିକୁ ଚାପି ଦେଉଥିଲେ। ଏହି ଘଟଣାଟି ରାଜ୍ୟ ସରକାରଙ୍କ ମହିଳା ବିରୋଧି ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଓ ପ୍ରତ୍ୟକ୍ଷ ପ୍ରୋତ୍ସାହନ କାରଣରୁ ମହିଳା ଅତ୍ୟାଚାର ଓ ହିଂସାର ବନ୍ୟାଜଳ ବର୍ତ୍ତମାନ ଶାସକ ବିଜେଡିର ଘର ଭିତରେ ପଶି ସାରିଛି। ତେଣୁ ଘରୋଇ ଓ ମହିଳା ହିଂସା ଅଭିଯୋଗ କାରଣରୁ ନୈତିକତା ଓ ମାନବିକତା ଦୃଷ୍ଟିରୁ ଏବଂ ପଦମର୍ଯ୍ୟାଦା ହରାଇଥିବା ସାଂସଦ ଶ୍ରୀ ମହାନ୍ତି ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ। ମା’ କୁ ସମ୍ମାନ ନାରା ଦେଉଥିବା ଦଳର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ। ନଚେତ୍ ଏହା ବିରୋଧରେ ମହିଳାମୋର୍ଚ୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ‘ନିମକି’ ସାଜି ଯେଉଁ ବର୍ଷା ପ୍ରିୟଦର୍ଶିନୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନବୀନ ନିବାସକୁ ଯାଇ ଗୁହାରୀ କରିଥିଲେ, ସେହି ‘ନିମ୍କି’ ଆଜି ନିଜ ପାଇଁ ନ୍ୟାୟ ଭିକ୍ଷା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି।