ଅନୁଭବଙ୍କ ଇସ୍ତଫା ଦାବି କଲା ମହିଳାମୋର୍ଚ୍ଚା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାମୀ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏନେଇ ଆଜି ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ମହାନ୍ତି ଜଣେ ଲୋକ ପ୍ରତିନିଧି ରହିଛନ୍ତି। ଜଣେ ଲୋକପ୍ରତିନିଧି ଭାବେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇ ସେ ତାଙ୍କ ପତ୍ନୀଙ୍କୁ ଶାରିରୀକ ଓ ମାନସିକ ଅତ୍ୟାଚାର କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା। ଜଣେ ନାରୀ ପ୍ରତି ହେଉଥିବା ଅନ୍ୟାୟକୁ ବିଜେପି ବରଦାସ୍ତ କରିବ ନାହିଁ। ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ ସହ ବର୍ଷାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରଖିବ। ସାଂସଦଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ବିଜେପି ମହିଳା ମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ଶ୍ରୀ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କରିଅଛି।
ମହିଳାଙ୍କ ପ୍ରତି ଏପରି ହୀନ ବ୍ୟବହାର ଓ ଅତ୍ୟାଚାର କରୁଥିବା ବ୍ୟକ୍ତି କେବେ ହେଲେ ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ଅନୁଚିତ୍ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏଭଳି କାର୍ଯ୍ୟକୁ ମୋର୍ଚ୍ଚା ନିନ୍ଦା କରିଛି। ତୁରନ୍ତ ମାନବିକତା ଦୃଷ୍ଟିକୋଣରୁ ପଦମର୍ଯ୍ୟାଦା ହରାଇଥିବା ସାଂସଦ ଶ୍ରୀ ମହାନ୍ତି ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ ଦାବିକରିଛନ୍ତି।

ଅପରପକ୍ଷେ ଜଣେ ମହିଳା ଅତ୍ୟାଚାରୀ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ଶୀଘ୍ର ତାଙ୍କ ଦଳରୁ ବହିଷ୍କାର କରନ୍ତୁ ବୋଲି ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ନଚେତ୍ ମୋର୍ଚ୍ଚା ଏହାକୁ ତୀବ୍ର ଆନ୍ଦୋଳନର ରୂପ ଦେବ ବୋଲି ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ଆଜିର ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ମାର୍ଚ୍ଚା ଭୁବନେଶ୍ୱର ଜିଲ୍ଲାର ମହିଳାନେତ୍ରୀ ସୁବାସିନୀ ପୃଷ୍ଟି, ପଦ୍ମାବତୀ ଜେନା, ମନ୍ଦାକିନୀ ପାତ୍ର, ଉନ୍ନତୀ ପରିଡ଼ା, ତୃପ୍ତୀମୟୀ ମକଦ୍ଦମ, ସୁମିତ୍ରା ଆଚାର୍ଯ୍ୟ, ସୁନିତା ପତି, ବନ୍ଦନାଦାସ କାନୁନଗୋ ପ୍ରମୁଖ ଉପସ୍ଥିତ ରହିଥିଲେ।