ରାଜ୍ୟ ଅର୍ଥ ନିଗମର ଋଣ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ-ସତ୍ୟବ୍ରତ ସାହୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ରାଜ୍ୟ ଅର୍ଥ ନିଗମର ଅଧ୍ୟକ୍ଷ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅର୍ଥ ନିଗମ କାର୍ଯ୍ୟାବଳୀର ସମୀକ୍ଷା କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ସାହୁ ସବିଶେଷ ଆଲୋଚନା କରି ନିଗମର ସ୍ଥିତିରେ ଉନ୍ନତି ଆଣିବା ପାଇଁ ତଥା ବକେୟା ପଡ଼ି ରହିଥିବା ଅନାଦେୟ ଋଣ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେବା ସହ ନିମ୍ନଲିଖିତ ନିଷ୍ପତ୍ତିମାନ ଗ୍ରହଣ କରିଥିଲେ। ସମୀକ୍ଷାରୁ ଜଣାପଡ଼ିଛି ଯେ ରାଜ୍ୟ ଅର୍ଥ ନିଗମକୁ କ୍ରିୟାଶୀଳ ତଥା ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସମସ୍ତ ଋଣ ଗ୍ରହିତାଙ୍କୁ ବକେୟା ଥିବା ଋଣ ରାଶି ଯଥାଶୀଘ୍ର ପୈଠ କରିବା ପାଇଁ ନୋଟିସ ପଠାଯିବ। ମାର୍ଚ୍ଚ ୩୧,୨୦୨୦ ସୁଦ୍ଧା ୮୨୬୪ ଜଣ ଋଣ ଗ୍ରହିତାଙ୍କ ଉପରେ ୨୫୫ କୋଟି ଟଙ୍କାର ମୂଳ ରାଶି ଓ ୩୦୦୦ କୋଟିରୁ ଊଦ୍ଧ୍ୱର୍ ରାଶି ଆଦାୟ କରିବାକୁ ଅଛି। ଯେଉଁ ଋଣ ଗ୍ରହିତାମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ଋଣ ପୈଠ କରିବାରେ ବିଫଳ ହେବେ ସେମାନଙ୍କର ବନ୍ଧକ ଥିବା ସଂପତ୍ତିକୁ ଆଇନ ଅନୁଯାୟୀ ଜବତ କରି ଋଣ ଅର୍ଥ ପରିଶୋଧ କରାଯିବ । ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କୋର୍ଟମାନଙ୍କରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମକଦ୍ଦମାଗୁଡ଼ିକୁ ଫଇସଲା କରାଯାଇ ଋଣ ଆଦାୟ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ। ଯେଉଁମାନେ ଇଚ୍ଛାକୃତ ଭାବେ ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି ଅବା ଯେଉଁମାନେ ଋଣ ପରିଶୋଧ କରିବାକୁ ଇଚ୍ଛୁକ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେମାନଙ୍କର ଋଣ ରାଶି ପୈଠ କରି ଋଣ ମୁକ୍ତ ହେବାକୁ ପ୍ରମୁଖ ଶାସନ ସଚିବ ତଥା ଅଧ୍ୟକ୍ଷ ଶ୍ରୀ ସାହୁ ଅନୁରୋଧ କରିଛନ୍ତି।