ଯନ୍ତ୍ରଣାରେ ଛଟପଟ ହେଉଛି ଛଅ ମାସର ଶିଶୁ, ଅର୍ଥ ସାଜିଛି ବାଧକ

ବରଗଡ଼, ଏନ୍ଏନ୍ଏସ୍: ଭଟଲି ବ୍ଲକ ରାୟଶୋଭା ଗ୍ରାମର ମଙ୍ଗୁଲ ଭରାସାଗର ଓ କୁନ୍ତି ଭରାସାଗରଙ୍କ ଦ୍ୱିତୀୟ ସନ୍ତାନ ସରୋଜ । ବର୍ତ୍ତମାନ ତାର ବୟସ ମାତ୍ର ଛଅ ମାସ । ଜନ୍ମ ସମୟରେ ଅଣ୍ଟାରେ ଥିବା ଏକ ମାଂସ ପିଣ୍ଡୁଳା ଧିରେ ଧିରେ ବଢ଼ିବାକୁ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପରିବାର। ବାପା ମଙ୍ଗଲୁ ଜଣେ ବ୍ୟକ୍ତିର ଅଟୋକୁ ଭଡା ସୂତ୍ରରେ ନେଇ ଚଳାଉଛନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ। ବର୍ତ୍ତମାନ  ପୁଅ ସରୋଜର ଚିକିତ୍ସା ପାଇଁ ସେ ଭାଙ୍ଗି ପଡିଛନ୍ତି । ସରୋଜର ଚିକିତ୍ସା ପାଇଁ ବରଗଡ଼ରୁ ଆରମ୍ଭ କରି ବୁର୍ଲା ଏପରିକି କଟକ ଶିଶୁ ଭବନକୁ ନେଇଥିବା ବେଳେ ଅର୍ଥାଭାବ ଯୋଗୁଁ ଠିକ ଭାବରେ ଚିକିତ୍ସା କରାଇପାରୁନାହାଁନ୍ତି। ଶିଶୁ ଭବନରେ ଡାକ୍ତରମାନେ ପ୍ରତି ଦୁଇ ମାସରେ ଥରେ ଆସିବାକୁ ପରାମର୍ଶ ଦେଇଛନ୍ତି। ସରୋଜର ଚିକିତ୍ସା ପାଇଁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଲାଗିବ ବୋଲି ଜଣାପଡିଛି । ଏପରି ସ୍ଥିତିରେ ଶିଶୁ ପୁତ୍ରର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସରକାରୀ ସହାୟତା କିମ୍ବା କେହି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଲେ ପୁଅର ସୁସ୍ଥ ହୋଇପାରନ୍ତା ବୋଲି ଗରିବ ପିତାମାତା ଗୁହାରୀ କରିଛନ୍ତି ।