ଖୋଲା ଆକାଶ ତଳେ ବିତୁଛି ଯାଯାବର ପରିବାରଙ୍କ ରାତି

ଦେବଗଡ଼,ଏନ୍ଏନ୍ଏସ୍: ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ବାସହୀନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଇଥିଲେ ମଧ୍ୟ ସଠିକ ପରିଚାଳନାର ଅଭାବରୁ ପ୍ରକୃତ ବାସହୀନ ଲୋକ ରାସ୍ତା କଡରେ ରାତ୍ରିଯାପନ କରୁଛନ୍ତି। ଏଭଳି କିଛି ଦୃଶ୍ୟ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୬ ନମ୍ବର ୱାର୍ଡ ମୁଖ୍ୟ ରାସ୍ତା କଡରେ ଦେଖିବାକୁ ମିଳିଛି। ୬ ନମ୍ବର ପୌରାଞ୍ଚଳ ଅନ୍ତର୍ଗତ ମାଛ ମାଂସ ବଜାର ପଛ ପଟେ ଥିବା ଖୋଲା ସ୍ଥାନରେ ୨୧ ସଦସ୍ୟ ବିଶିଷ୍ଟ ୪ଟି ଯାଯାବର ପରିବାର ଗତ କିଛି ଦିନ ଧରି ରହୁଛନ୍ତି। ସେମାନେ ଦିନ ବେଳେ ଲୌହ ସାମଗ୍ରୀ ବିକ୍ରି କରି ସେଠାରେ ରହୁଥିବା ବେଳେ ରାତ୍ରିରେ ସେହି ସ୍ଥାନରେ ମହିଳା ଓ ଶିଶୁଙ୍କ ସହ ଖୋଲା ଆକାଶ ତଳେ ଏକ କମ୍ବଳ ଘୋଡାଇ ଶୋଉଥିବା ଦେଖିବାକୁ ମିଳିଛି।

ସେମାନେ ମଧ୍ୟପ୍ରଦେଶ ରାଜ୍ୟର ଭୋପାଳ ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି। ତେବେ ସେମାନେ ବୁଲି ବୁଲି ଲୌହ ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଅନ୍ୟପଟେ ପୌରପରିଷଦ ଅଧିକାରୀ ଓ କର୍ମଚାରୀମାନେ ସେହି ରାସ୍ତା ଦେଇ ନିତିଦିନ ଯିବାଆସିବା କରୁଥିବା ବେଳେ ଉକ୍ତ ଯାଯାବର ପରିବାର ପ୍ରତି ଆଖି ବୁଜି ଦେଉଛନ୍ତି। ଉକ୍ତ ଯାଯାବର ପରିବାର ରହୁଥିବା ସ୍ଥାନରୁ ପୌରପରିଷଦ ପକ୍ଷରୁ ନିର୍ମିତ ବାସହୀନଙ୍କ ଆଶ୍ରୟ ସ୍ଥଳୀ ମାତ୍ର ୫୦୦ ମିଟର ଦୂରରେ ଥିବା ବେଳେ ସେମାନଙ୍କୁ ଏଯାଏଁ ଉକ୍ତ ଆଶ୍ରୟ ସ୍ଥଳୀରେ ସ୍ଥାନ ମିଳିନାହିଁ। ଏଣୁ ଉକ୍ତ ଯାଯାବର ପରିବାରଙ୍କୁ ରାତ୍ରି ସମୟରେ ବାସହୀନଙ୍କ ଆଶ୍ରୟ ସ୍ଥଳୀରେ ସ୍ଥାନ ଦେବାକୁ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।