ଓଡ଼ିଶା ଯେଭଳି ସ୍ନେହ ଦେଇଛି ତାହା ଉଦାହରଣ ଯୋଗ୍ୟ : ହକି ଟିମ୍ ଅଧିନାୟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟୋକିଓ ଅଲମ୍ପିକରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ ଆଜି ଓଡ଼ିଶା ପହଂଚିଛନ୍ତି। ଉଭୟ ଟିମକୁ ଭୁବନେଶ୍ୱର ବିମାନବନ୍ଦରରେ ଶଙ୍ଖନାଦ, ଫୁଲମାଳା ଓ ଟିକା ଲଗାଇ ଭବ୍ୟ ସ୍ୱାଗତ କରାଯାଇଥିଲା। ଉଭୟ ଟିମର ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ଖେଳମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ହକି ଟିମର ପୂର୍ବତନ କ୍ୟାପଟେନ ଦିଲ୍ଲୀପ ତିର୍କୀ ଉପସ୍ଥିତ ଥିଲେ।

ଏହି ଅବସରରେ ଆୟୋଜିତ ହୋଇଥିବା ଏକ ପ୍ରେସ କନଫ୍ରେନ୍ସରେ ଭାରତୀୟ ମହିଳା ହକି ଟିମର ଅଧିନାୟିକା ରାନୀ ରାମପାଲ ଓଡ଼ିଶାକୁ ନେଇ କିଛି ଖାସ୍ କଥା କହିଛନ୍ତି। ରାନୀ କହିଛନ୍ତି ଯେ, ଓଡ଼ିଶା ଯେଭଳି ସ୍ନେହ ଦେଇଛି ତାହା ଉଦାହରଣ ଯୋଗ୍ୟ। ଓଡ଼ିଶାବାସୀଙ୍କ ହୃଦୟରେ ହକି ଅଛି, ଯାହାକି ଖୁବ୍ ଆକର୍ଷିତ କରେ। କ୍ରୀଡ଼ା ପାଇଁ ନବୀନ ଅନେକ କାମ କରିବା ସହ ଭିତ୍ତିଭୂମି ସଜାଡ଼ିଛନ୍ତି। ଆମର ଆଗାମୀ ଟାର୍ଗେଟ ହେଉଛି ଏସିଆନ୍ କପ୍।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ ଦୀର୍ଘ ୪୧ ବର୍ଷ ପ୍ରତିକ୍ଷାର ଅନ୍ତ ଘଟାଇ ଅଲମ୍ପିକରେ ଦେଶ ଲାଗି ପଦକ ଜିତିଛି। ଅନ୍ୟପଟେ ମହିଳା ହକି ଟିମ୍ ପ୍ରଥମଥର ପାଇଁ ସେମିଫାଇନାଲରେ ପହଂଚିଛି। ଖାସ୍ କଥାଟି ହେଲା, ଓଡ଼ିଶା ସରକାର ୨୦୧୮ରୁ ଉଭୟ ପୁରୁଷ ଓ ମହିଳା ହକି ଟିମର ଅଧିକାରିକ ପ୍ରାୟୋଜକ।