ମାଛକୁଣ୍ଡ ପୁଲିସ ଜବତ କଲା ୧୦୮ କିଲୋ ଗଞ୍ଜେଇ, ୩ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ମାଛକୁଣ୍ଡ ପୁଲିସ୍ ଟିକାପୁଟ ଛକରେ ଏକ କାରରୁ ୧୦୮ କିଲୋ ୬୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଏନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ମହମ୍ମଦ ଆଝାରୁଦ୍ଦିନ୍, ଜୀତେନ୍ଦ୍ର ସିଂହ ଓ ବନ୍ତେଶ କୁମାର। ମିଳିଥିବା ରିପୋର୍ଟ ମୁତାବକ, ମାଛକୁଣ୍ଡ ଅଞ୍ଚଳରୁ ରାଜସ୍ଥାନକୁ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମାଛକୁଣ୍ଡ ଥାନାଧିକାରୀ ପ୍ରଫୁଲ ଲାକ୍ରା ପାଇଥିଲେ। ସୂଚନାନୁଯାୟୀ ଥାନାଧିକାରୀ ଶ୍ରୀ ଲାକ୍ରା ପୁଲିସ୍ ଟିମ୍ ସହ ଟିକାପୁଟ ଛକରେ ନାକାବନ୍ଦୀ କରିଥିଲେ। ପରେ ଗଞ୍ଜେଇ ନେଇ ଯାଉଥିବା ଉକ୍ତ କାର୍ ଆସିବା ମାତ୍ରେ ପୁଲିସ୍ ଟିମ୍ ଗାଡ଼ି ଅଟକାଇ ଯାଞ୍ଚ କରିବା ବେଳକୁ ଗାଡ଼ିରୁ ଜରି ଅଖାରେ ଭରି ହୋଇଥିବା ୧୦୮ କିଲୋ ୬୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ପୁଲିସ୍ ଟିମ୍ କାର୍ ସହ ଗଞ୍ଜେଇ, ୪ଟି ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ କାଗଜ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ମାଛକୁଣ୍ଡ ଥାନାରେ ଏନଡିପିଏସ୍ ଆକ୍ଟ୍ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନନ୍ଦପୁର ଏସଡିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।