ବଢିବନି ମୂର୍ତ୍ତି ଉଚ୍ଚତା, ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ,ଏନ୍ଏନ୍ଏସ୍: ବଢିବନି ମୂର୍ତ୍ତି ଉଚ୍ଚତା। କଟକ ବାଲୁବଜାର ପୂଜା କମିଟି ଦ୍ୱାରା ମା’ଙ୍କ ମୂର୍ତ୍ତି ଉଚ୍ଚତା ବଢିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ। କରୋନା ମହାମାରୀ ସମୟରେ ସରକାରଙ୍କ ନିଷ୍ପତି ଉପରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ହାଇକୋର୍ଟ ସିଧା ସଳଖ ମନା କରିଦେଇଛନ୍ତି। ଦୀର୍ଘ ୫୦୦ ବର୍ଷରୁ ଅଧିକ ହେବ ମୂର୍ତ୍ତି ଉଚ୍ଚତାରେ କୌଣସି ପରିବର୍ତ୍ତନ ନହେବା ସହ ମେଢରେ ମଧ୍ୟ କୌଣସି ପ୍ରଭାବ ପଡ଼ିନାହିଁ ତେଣୁ ବର୍ତ୍ତମାନ ୪ ଫୁଟ୍ ଉଚ୍ଚତାରେ ମୂର୍ତ୍ତି କଲେ ଧର୍ମ, ପ୍ରଥା, ପରମ୍ପରା ଆଦିରେ ପ୍ରଭାବ ପଡ଼ିବ ବୋଲି କଟକ ବାଲୁବଜାର ପୂଜା କମିଟି ପ୍ରଥମେ ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ।

କିନ୍ତୁ ସରକାର ନିଜ ଜିଦରେ ଅଟଳ ଥିବା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ବର୍ତ୍ତମାନ ଏହି ଆବେଦନକୁ ମଧ୍ୟ ଖାରଜ କରାଯାଇଛି। ଦୁର୍ଗା ପୂଜାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମୂର୍ତ୍ତି ଉଚ୍ଚତା ବଢାଇବା ପାଇଁ ଦାବି ଦିନକୁ ଦିନ ଯୋର ହେବାରେ ଲାଗିଛି ।ଏପରିକି ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବା ପାଇଁ ମଧ୍ୟ କମିଟି ତରଫରୁ ସୁଚନା ମିଳିଛି।

ତେବେ ଚଳିତ ବର୍ଷ ୪ ଫୁଟ ଭିତରେ ମା ‘ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ୮ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିବାକୁ କଟକ ବାଲୁବଜାର ପୂଜା କମିଟି ସମ୍ପାଦକ ରମେଶ ଚନ୍ଦ୍ର ବେହେରା ଗତ ମଙ୍ଗଳବାର ହାଇକୋର୍ଟରେ ମାମଲା ଦାଏର କରିଥିଲେ।