ଅକ୍ଟୋବରରେ ଉପଲବ୍ଧ ହେବ ୧ କୋଟି କାଡିଲା ଟିକା

ନୂଆଦିଲ୍ଲୀ,ଏଜେନ୍ସି: ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ଜାଇଡସ କାଡିଲା ଟିକା ଉପଲବ୍ଧ ହେବ ବୋଲି ଜଣାପଡିଛି। ଏପରିକି ୧୨ରୁ ୧୭ ବର୍ଷ ବୟସର ପ୍ରାୟ ୧ କୋଟି ପିଲାଙ୍କୁ ଟିକା ଦିଆଯାଇପାରେ ବୋଲି ସୂଚନା ମିଳିଛି। ସରକାର ଏବେ ଟିକା ସମ୍ପର୍କିତ ବିଶେଷଜ୍ଞ କମିଟିର ଗାଇଡଲାଇନକୁ ଅପେକ୍ଷା କରିଛନ୍ତି। ଏହି ଗାଇଡଲାଇନ ଆସିବା ପରେ ପିଲାମାନଙ୍କୁ ଟିକା ଦିଆଯିବା ଆରମ୍ଭ କରାଯିବ।

ଖାଲି କାଡିଲା ନୁହେଁ ଅକ୍ଟୋବର ବେଳକୁ ଦେଶରେ ଆଉ କେତେକ କରୋନା ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି। ଡିସିଜିଆଇ ଗତ ମାସ ୨୦ରେ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଥିଲେ। କୋଭାକ୍ସିନ ପରେ ଏହା ହେଉଛି ଭାରତର ୨ୟ ସ୍ୱଦେଶୀ କରୋନା ଟିକା। ୧୮ ବର୍ଷରୁ କମ ବୟସ ପିଲାମାନଙ୍କ ପାଇଁ ଏହା ହେଉଛି ଦେଶର ପ୍ରଥମ ଟିକା। ଗତ ମାସରେ କାଡିଲାର ଏମଡି ସର୍ବିଲ ପଟେଲ କହିଥିଲେ ଯେ ବର୍ଷକୁ ୧୦ରୁ ୧୨ କୋଟି ମାତ୍ର ଟିକା ଉତ୍ପାଦନ କରାଯିବ। ସରକାରୀ ନୀତି ଅନୁସାରେ ଉତ୍ପାଦିତ ଟିକାର ବୃହତ ଭାଗ ସରକାରଙ୍କୁ ପ୍ରଦାନ କରାଯିବ।