ସାରା ଦେଶରେ ରେକର୍ଡ ସଂଖ୍ୟକ ଟିକାକରଣ, ୧ କୋଟି ପାର

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ ଟିକାକରଣରେ ଭାରତ ଶୁକ୍ରବାର ନୂଆ କିର୍ତ୍ତିମାନ ସ୍ଥାପନ କରିଛି। ମଧ୍ୟାହ୍ନ ସାଢେ ଗୋଟାଏ ସୁଦ୍ଧା ସାରା ଦେଶରେ ୧ କୋଟି ଲୋକଙ୍କ କୋଭିଡ ଟିକାକରଣ ସମାପ୍ତ ହୋଇଛି। କୋୱିନ୍‌ ପୋର୍ଟାଲରେ ଜାରି ତଥ୍ୟ ଅନୁସାରେ ଶୁକ୍ରବାର ମଧ୍ୟାହ୍ନ ଗୋଟାଏ ସୁଦ୍ଧା ସାରା ଦେଶରେ ୧ କୋଟି ୭୧ ହଜାର ୭୭୬ ଜଣଙ୍କ ଟିକାକରଣ ସରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ନିଜର ଟିକାକରଣ କରାଇ ଦିନଟିକୁ ସ୍ମରଣୀୟ କରିବା ଲାଗି ନିବେଦନ କରିଥିଲେ। ସେହି ଅନୁସାରେ ଟିକାକରଣରେ ନୂଆ କିର୍ତ୍ତିମାନ ସ୍ଥାପିତ ହୋଇଛି।

ବିଭିନ୍ନ ରାଜ୍ୟଙ୍କ ସହ ମିସି ବିଜେପି ପ୍ରଧାନମନ୍ତ୍ରୀଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ଲାଗି ବ୍ୟାପକ ଟିକାକରଣ ଅଭିଯାନ ହାତକୁ ନେଇଛି। ଟିକାକରଣରେ ରେକର୍ଡ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଭେଟି ପ୍ରଦାନ କରିଛି ଦଳ। ଏଥିଲାଗି ଆୟୋଜିତ କାର୍ୟ୍ୟକ୍ରମରେ ବିହାର ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବ୍ୟାପକ କୋଭିଡ ଟିକାକରଣ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ କୋଭିଡ ଟିକା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ। ଏଣୁ ସାରା ଦେଶରେ ନିଶୁଳ୍କ ଟିକାକରଣ ଅଭିଯାନ ଚାଲିଛି।

ବିହାର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଲାଗି ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ୩୦ ଲକ୍ଷ କୋଭିଡ ଟିକାକରଣର ଘୋଷଣା କରିଥିଲେ। ସେପଟେ ଉତ୍ତରପ୍ରଦେଶ ସରକାର ରାଜନୀତିରେ ମୋଦୀଙ୍କ ସଫଳ ୨୦ ବର୍ଷ ଲାଗି ୨୦ ଦିନିଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।  ‘ସେବା ଓ ସମର୍ପଣ ଅଭିଯାନ’ ନାମରେ ଏହି କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବରରୁ ରାଜ୍ୟରେ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।