୩ ମହଲା ଛାତରୁ ପଡି କନଷ୍ଟେବଳ ମୃତ

ରାୟଗଡ଼ା, ଏନ୍ଏନ୍ଏସ୍ : କ୍ରିକେଟ ହେଲା କାଳ । କ୍ରିକେଟ ନିଶାରେ ଓଏସଏପି କନଷ୍ଟେବଳ ଯୋଗେଶ୍ୱର ଦାଶ (୨୭) ୩ ମହଲା ଛାତରୁ ପଡି ପ୍ରାଣ ହରାଇଛନ୍ତି। ସେ ଚାନ୍ଦିଲି ନିୟୁଆରୋ ବିଲ୍ଡିଂର ଫୋର୍ସ ବ୍ୟାରେକରେ ରହୁଥିଲେ। ସୋମବାର ରାତି ୯ଟା ସମୟରେ ସେ ଛାତ ଉପରେ ବସି ଆଇପିଏଲ ମ୍ୟାଚ ଦେଖୁଥିବା ସମୟରେ ଭାରସାମ୍ୟ ହରାଇ ଉପରୁ ତଳକୁ ଖସି ପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ୫ ମାସ ତଳେ ରାୟଗଡାରେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ କୋରାପୁଟଠାରେ କାର୍ଯ୍ୟ କରୁଥିଲେ । ତାଙ୍କ ଘର କୋରାପୁଟ ସଦର ମହକୁମାରେ । ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିବାସହ କେଉଁ ପରିସ୍ଥିତିରେ ଯୋଗେଶ୍ୱରଙ୍କ ମୃତ୍ୟୁ ଘଟିଲା ତାର ତଦନ୍ତ ଆରମ୍ଭ କରିଛି ଚାନ୍ଦିଲି ପୁଲିସ ।