ଭାରତୀୟ ମଜଦୁର ସଂଘ ତରଫରୁ ୧୦ ଦଫା ଦାବିପତ୍ର

ରାୟଗଡ଼ା, ଏନ୍ଏନ୍ଏସ୍: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ରାୟଗଡା ଜିଲ୍ଲା ଓଡିଶା ରାଜ୍ୟ ଆଶା କର୍ମି ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଯୋଗେଶ୍ୱର ଦାସ, ସମ୍ପାଦକ ଖଗେଶ୍ୱର ସିଂ, ଉପ-ସଭାପତି ମୋହନ ରାଓ ମାଝୀ, ବ୍ଲକ ସଭାପତି ଗୋପି ଗୌଡ଼, ଆଶାକର୍ମୀ ସଂଘର ସଭାନେତ୍ରୀ ପୁଷ୍ପାଞ୍ଜଳୀ ବେହୁରା, ରାଜ୍ୟ ସମ୍ପାଦିକା ମମତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ୧୦ ଦଫା ଦାବି ମଧ୍ୟରୁ ମାସିକ ୧୮ ହଜାର ଟଙ୍କା ଦରମା ସହ ଇପିଏଫ ଓ ଇଏସଆଇ ଅନ୍ତର୍ଭୁକ୍ତ, କୋଭିଡ ୧୯ରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ, ଆଶା କର୍ମୀଙ୍କୁ କରୋନା ଯୋଦ୍ଧାର ସମ୍ମାନ, ଶିକ୍ଷାଗତ ଯୋଗ୍ୟତା ଥିବା ଆଶା କର୍ମୀଙ୍କୁ ଏଏନଏମ ଭାବେ ପଦୋନ୍ନତି, ଅବସର ଭତ୍ତା ୨ ଲକ୍ଷ ଟଙ୍କା ପ୍ରଦାନ ସହ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା କର୍ମୀମାନଙ୍କ ପାଇଁ ଆଶା ଗୃହ ଯୋଗାଇ ଦେବା ପାଇଁ ସଂଘ ଦାବି କରିଛି। ଯଦି ଦାବି ଗୁଡିକ ଯଥାଶୀଘ୍ର ପୂରଣ ନ କରାଯାଏ ତା ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।