ଦେବଗଡ଼,ଏନ୍ଏନ୍ଏସ୍: ଦେଶର ସୁରକ୍ଷା ନିମନ୍ତେ ଲଦାଖ ଗଲୱାନ ଘାଟିରେ ପ୍ରାଣବଳି ଦେଇଥିବା ୨ ଓଡ଼ିଆ ବୀର ଯବାନଙ୍କୁ ଦେବଗଡ଼ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦେବଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ଭୁତିଆ ଓ ନଗର ମଣ୍ଡଳ ସଭାପତି ସୁରଜ ଘଡ଼େଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ତାପସ ମହାପାତ୍ର, ସୌମ୍ୟରଞ୍ଜନ ନାୟକ, ସଚ୍ଚିନ ସାହୁ, ସାଗର ସାହୁ, ଜଗନ୍ନାଥ ବେହେରା, ମକରଧ୍ୱଜ ହସ୍ତୀ, ବସନ୍ତ ନାୟକ, ମାନଭଞ୍ଜନ ଫଦକାର, ଲମ୍ବୋଦର ସାହୁ, ସୀତିକାନ୍ତ ମହାପାତ୍ର, ଅଟଳ ବେହେରା, ସୌରଭ ଦେବ, ସିପୁନ ଯାଦବ ଓ ଚିନୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତେ ଗୋପାଳଜୀ ମନ୍ଦିର ପଡ଼ିଆରେ ଏକତ୍ରିତ ହୋଇ ୨ ଓଡ଼ିଆ ବୀର ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ଫଟୋ ଚିତ୍ର ସମ୍ମୂଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେମାନେ ଚୀନ ସେନାର ବର୍ବରୋଚିତ କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହ ଚୀନ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଥିସହ ଭାରତୀୟ ସେନାର ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ପ୍ରକାଶ କରିଥିଲେ।