ଅର୍ଥ ଲଗାଣକାରୀ ସଂସ୍ଥାର ମନମାନି, ପ୍ରଶାସନର ଦ୍ୱାରସ୍ଥ ହେଲେ ଋଣ ନେଇଥିବା ମହିଳା ହିତାଧିକାରୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଏବେ ଅର୍ଥ ଲଗାଣକାରୀ ସଂସ୍ଥାର ମନମାନି ବଢ଼ିବାରେ ଲାଗିଛି। କରୋନା କଟକଣା ପାଇଁ ଅର୍ଥ ଲଗାଣକାରୀ ସଂସ୍ଥାଙ୍କୁ କିସ୍ତି ଉଠାଣ ଉପରେ ରୋକ ଲଗାଯାଇଥିଲେ ହେଁ ଏହାର କର୍ମଚାରୀମାନେ ଜିଲ୍ଲା ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ପାଟଣା ବ୍ଲକ ଖମୁଆଁ ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ଉକ୍ତ ଅଂଚଳର ଅସହାୟ ମହିଳାଙ୍କୁ ନେଇ ଗ୍ରୁପ ତିଆରି କରି ଲକ୍ଷ ଲକ୍ଷ ଟଙ୍କାର ଋଣ ଦେଇଥିଲେ। ଏହାପରେ ସୁଧ ଆକାରରେ ପ୍ରତେକ ସପ୍ତାହ ଟଙ୍କା ଆଦାୟ କରୁଥିଲେ। ହେଲେ ମହାମାରୀ କରୋନା ଆର୍ଥିକ ମାନଦଣ୍ଡ ଦୋହଲାଇ ଦେଇଥିବା ବେଳେ କିସ୍ତି ଆଦାୟ ଉପରେ ସରକାର ରହିତାଦେଶ ଲଗାଇଛନ୍ତି। କିନ୍ତୁ ଅର୍ଥ ଲଗାଣକାରୀ ସଂସ୍ଥାର କିଛି ଅସାଧୁ କର୍ମଚାରୀ ମହିଳାଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଆଉ ଏଥିରେ ଅସହ୍ୟ ହୋଇ ମହିଳାମାନେ ପାଟଣା ଥାନା ଅଧିକାରୀ, ପାଟଣା ବିଡ଼ିଓ, ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିସହିତ ଋଣ ଆଦାୟ ବନ୍ଦ କରାନଗଲେ ଉକ୍ତ ତିନି ମୁଖ୍ୟ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।