ମାସ୍କ ନପିନ୍ଧି ଗଣିଲେ ତଣ୍ଡ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ସାରା ଦେଶରେ ଅନଲକ-୧ ଚାଲୁଥିବା ବେଳେ ସାମାଜିକ ଦୂରତ୍ୱ ବଜାଇ ରଖିବା ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲା ରାଜସ୍ବ ବିଭାଗ ଓ ପୁଲିସ ପକ୍ଷରୁ କୋରୁକୋଣ୍ଡା ବ୍ଲକ ସଦର ଅନ୍ତର୍ଗତ ବସଷ୍ଟାଣ୍ଡ ଛକଠାରେ ଯାଂଚ କରାଯାଇଥିଲା। ଆଜି ସାପ୍ତାହିକ ହାଟ ଥିବା ସତ୍ତ୍ୱେ ଲୋକେ ନିର୍ଭୟରେ ବିନା ମାସ୍କରେ ଓ ଆଉ କେତେକ ନିଜ ପକେଟରେ ରଖି ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାଂଚ ହେଉଥିବା ଦେଖି ପକେଟରୁ ମାସ୍କ କାଢ଼ି ସଙ୍ଗେସଙ୍ଗେ ପିନ୍ଧୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଏଥିସହିତ କିଛି ଦୁଇ ଚକିଆ ଯାନରେ ଦୁଇରୁ ଅଧିକ ବସି ଯାତାୟତ କରୁଥିବା ଦେଖାଯାଇଥିଲା। ସେଥିପାଇଁ ପୁଲିସ ପକ୍ଷରୁ ଅମାନିଆଙ୍କଠାରୁ ଫାଇନ ବାବଦରେ ପ୍ରାୟ ୧୩,୧୫୦ ଟଙ୍କା ଆଦାୟ ସହ ଚେତାବନୀ ମଧ୍ୟ ଦିଆଯାଇଥିଲା। କୋରୁକୋଣ୍ଡା ବିଡିଓ ଦାଶରଥି ସରାବୁଙ୍କ ସହ ବ୍ଲକ କର୍ମଚାରୀ, କୋରୁକୋଣ୍ଡା ରାଜସ୍ୱ ଅଧିକାରୀ ସର୍ବେଶ୍ୱର ପରିଡ଼ା, ରାଜସ୍ବ ବିଭାଗୀୟ କର୍ମଚାରୀ ଓ ମାଲକାନଗିରି ପୁଲିସ ଯାଞ୍ଚ ସମୟରେ ଉପସ୍ଥିତ ଥିଲେ।