ଥାଇଲାଣ୍ଡ ଓପନ୍‌: ସେମିରେ ସିନ୍ଧୁ ପରାଜିତ

ବ୍ୟାଙ୍କକ୍‌,ଏଜେନ୍ସି: ଥାଇଲାଣ୍ଡ ଓପନ୍‌ରେ ଭାରତର ଶୀର୍ଷ ଶଟ୍‌ଲର୍ ପିଭି ସିନ୍ଧୁଙ୍କ ଚିତ୍ତାକର୍ଷକ ଯାତ୍ରାରେ ଶନିବାର ବ୍ରେକ୍ ଲାଗିଛି। ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସ ସେମିଫାଇନାଲ୍‌ରେ ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁଙ୍କୁ ଅଲିମ୍ପିକ୍ ଚାମ୍ପିଅନ୍ ଏବଂ ବିଶ୍ୱର ନଂ.୪ ଖେଳାଳି ଚୀନ୍‌ର ଚେନ୍ ୟୁ ଫେଇ ୨୧-୧୭, ୨୧-୧୬ ସିଧା ଗେମ୍‌ରେ ପରାଜିତ କରିଛନ୍ତି। ସିନ୍ଧୁଙ୍କ ପରାଜୟ ସହ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ଅଭିଯାନ ଶେଷ ହୋଇଛି।

ଏହି ମ୍ୟାଚ୍ ପୂର୍ବରୁ ତୃତୀୟ ସିଡ୍ ଚେନ୍‌ଙ୍କ ବିପକ୍ଷରେ ଷଷ୍ଠ ସିଡ୍ ସିନ୍ଧୁଙ୍କ ବିଜୟ ରେକର୍ଡ ୬-୪ ଥିଲା। ମାତ୍ର ସେ ଚୀନ୍‌ର ଏହି ଖେଳାଳିଙ୍କ ବିପକ୍ଷରେ ସେପରି ଦମ୍‌ଦାର ପ୍ରଦର୍ଶନ କରିପାରି ନଥିଲେ। ଅନ୍ୟପକ୍ଷରେ ଚେନ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ। ହାଇଦ୍ରାବାଦର ୨୬ ବର୍ଷୀୟା ଖେଳାଳି ଶେଷଥର ପାଇଁ ୨୦୧୯ ବିଡ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସରେ ଚେନ୍‌ଙ୍କଠାରୁ ପରାଜିତ ହୋଇଥିଲେ।

ମ୍ୟାଚ୍‌ର ପ୍ରଥମ ଗେମ୍‌ରେ ୩-୩ରେ ସ୍କୋର୍ ସମାନ ରଖିବା ପରେ ସିନ୍ଧୁ ବ୍ରେକ୍ ବେଳକୁ ୭-୧୧ରେ ପଛୁଆ ରହିଥିଲେ। ଏହାପରେ ଚେନ୍ ରାଲିରେ ପ୍ରଭାବ ଜାରି ରଖିବା ସହ ପାଞ୍ଚ ଗେମ୍ ପଏଣ୍ଟ ହାସଲ କରିଥିଲେ। ସିନ୍ଧୁ ଦୁଇଟି ଗେମ୍ ପଏଣ୍ଟ ବଞ୍ଚାଇଥିଲେ ମଧ୍ୟ ଚୀନ୍ ଖେଳାଳି ସହଜରେ ପ୍ରଥମ ଗେମ୍ ଜିତିନେଇଥିଲେ। ଦ୍ୱିତୀୟ ଗେମ୍‌ରେ ବିଶ୍ୱର ନଂ.୭ ସିନ୍ଧୁ ଉନ୍ନତ ପ୍ରଦର୍ଶନ କରି ପ୍ରଥମେ ୬-୩ ଅଗ୍ରଣୀ ହାସଲ କରି ବ୍ରେକ୍ ବେଳକୁ ଦୁଇ ପଏଣ୍ଟ୍ ଆଗରେ ରହିଥିଲେ। ମାତ୍ର ଚୀନ୍ ଖେଳାଳି ଉନ୍ନତ ପ୍ରଦର୍ଶନ କରି ୧୫-୧୨ ହୋଇଥିଲେ। ଏହାପରେ ସିନ୍ଧୁ ଲୟ ବଜାୟ ରଖିବାରେ ବିଫଳ ହେବାରୁ ଚେନ୍ ଚାରିଟି ମ୍ୟାଚ୍ ପଏଣ୍ଟ୍ ହାସଲ କରି ବିଜୟୀ ହୋଇଥିଲେ।

ଚଳିତ ସିଜନ୍‌ରେ ସୟଦ୍ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍ ଓ ସ୍ୱିସ୍ ଓପନ୍‌ରେ ଦୁଇଟି ସୁପର୍ ୩୦୦ ଟାଇଟଲ୍ ଏବଂ ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ଶିପ୍‌ରେ ବ୍ରୋଞ୍ଜ୍ ପଦକ ଜିତିଥିବା ସିନ୍ଧୁ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ୍ ଇଣ୍ଡୋନେସିଆ ମାଷ୍ଟର୍ସ ସୁପର୍ ୫୦୦ରେ ଭାଗନେବେ। ଏହି ଟୁର୍ଣ୍ଣାମେଣ୍ଟ୍ ଜାକର୍ତ୍ତାରେ ଜୁନ୍ ୭ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ।