୪୫୦ କୋଟି ଟଙ୍କାରେ ନିର୍ମିତ ୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନସମିସନ ଲାଇନ ଲୋକାର୍ପିତ
ଭୁବନେଶ୍ବର,ଏନ୍ଏନ୍ଏସ୍: ବିଦ୍ୟୁତ ହେଉଛି ବିକାଶର ଜୀବନରେଖା। ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ। ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଂଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍ଘାଟନ କରି ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ଏହି ୬ଟି ଉଚ୍ଚଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନସ୍ମିସନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୂତନ ବ୍ୟବସ୍ଥା ଦ୍ବାରା କଳାହାଣ୍ଡି, ରାୟଗଡା, ନବରଂଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମା’ ମାନେ ବିଶେଷ ଉପକାର ପାଇବେ। କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟ ଉପକାର ପାଇବେ ବୋଲି ସେ କହିଥିଲେ।
