ବିଶ୍ୱକପ୍ ଆର୍ଚେରୀ: ଭାରତୀୟ ପୁରୁଷ କମ୍ପାଉଣ୍ଡ୍ ଟିମ୍‌କୁ ସ୍ୱର୍ଣ୍ଣ

ଗ୍ୱାଙ୍ଗ୍‌ଜୁ,ଏଜେନ୍ସି: ଏଠାରେ ଚାଲିଥିବା ଆର୍ଚେରୀ ବିଶ୍ୱକପ୍ ଦ୍ୱିତୀୟ ଚରଣରେ ଭାରତୀୟ କମ୍ପାଉଣ୍ଡ୍ ଆର୍ଚର୍‌ମାନେ ଦମ୍‌ଦାର ପ୍ରଦର୍ଶନ କରି ଶନିବାର ତିନିଟି ପଦକ ଜିତିଛନ୍ତି। ପୁରୁଷ ଟିମ୍ ଚଳିତବର୍ଷ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମିକ୍ସଡ୍ ଟିମ୍ ବ୍ରୋଞ୍ଜ୍ ହାସଲ କରିଛି। ବ୍ୟକ୍ତିଗତ ଇଭେଣ୍ଟ୍‌ରେ ମୋହନ ଭରଦ୍ୱାଜ ରୌପ୍ୟ ପଦକ ଜିତିଛନ୍ତି। ଏହା ବିଶ୍ୱକପ୍‌ରେ ତାଙ୍କର ପ୍ରଥମ ପଦକ। ଗତ ଏପ୍ରିଲ୍‌ରେ ଅନ୍ତାଲ୍ୟାରେ ଅନୁଷ୍ଠିତ ବିଶ୍ୱକପ୍ ପ୍ରଥମ ଚରଣର ଫାଇନାଲ୍‌କୁ ଦୋହରାଇ ଅଭିଶେକ ବର୍ମା, ଅମନ ସାଇନି ଓ ରଜତ ଚୌହାନଙ୍କ ଚତୁର୍ଥ ର‌୍ୟାଙ୍କ୍‌ର ଭାରତୀୟ ପୁରୁଷ ଟିମ୍ ଷଷ୍ଠ ର‌୍ୟାଙ୍କ୍‌ର ଫ୍ରାନ୍ସକୁ ୨୩୨-୨୩୦ରେ ହରାଇ ପ୍ରଥମ ସ୍ଥାନରେ ରହିଥିଲା।

ଶନିବାର ଫାଇନାଲ୍‌ର ପ୍ରଥମ ଦୁଇଟି ରାଉଣ୍ଡ୍‌ରେ ଗୋଟିଏ ପଏଣ୍ଟ୍‌ରେ ପଛୁଆ ଥିବା ଭାରତୀୟ ଟିମ୍ ଅନ୍ତିମ ଦୁଇ ରାଉଣ୍ଡ୍‌ରେ ଉନ୍ନତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ସେହିପରି ଅବନୀତ କୌର୍‌ଙ୍କ ସହ ଯୋଡ଼ିହୋଇ ଅଭିଷେକ ତୁର୍କୀର ଆୟସେ ବେରା ସୁଜର୍ ଓ ଏମିର୍‌କାନ୍ ହାନେଙ୍କୁ ୧୫୬-୧୫୫ରେ ହରାଇ ମିକ୍ସଡ୍ ଟିମ୍ ବ୍ରୋଞ୍ଜ୍ ଜିତିଛନ୍ତି। ଅନ୍ତିମ ରାଉଣ୍ଡ୍‌ରେ ଗୋଟିଏ ପର୍‌ଫେକ୍ଟ ୪୦ ସହ ଭାରତୀୟ ଟିମ୍ ତୁର୍କୀକୁ ହରାଇ ଦେଇଥିଲା।

ଅନ୍ୟପକ୍ଷରେ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟ୍‌ର ସେମିଫାଇନାଲ୍‌ରେ ଗୋଟିଏ ପର୍‌ଫେକ୍ଟ ୩୦ ସହ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରିଆର ନିକୋ ସ୍ଲେସର୍‌ଙ୍କୁ ୧୪୩-୧୪୧ରେ ହରାଇଥିବା ମୋହନ ଭରଦ୍ୱାର କିନ୍ତୁ ଫାଇନାଲ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ନେଦରଲାଣ୍ଡ୍‌ସର ମାଇକ୍ ସ୍ଲୋଏସର୍‌ଙ୍କଠାରୁ ୧୪୧-୧୪୯ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ପୂର୍ବରୁ ଭାରତୀୟ ମହିଳା ଆର୍ଚର୍‌ମାନେ କମ୍ପାଉଣ୍ଡ୍ ଓ ରକର୍ଭ ଟିମ୍ ଇଭେଣ୍ଟ୍‌ରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ୍ ପଦକ ଜିତିଥିଲେ। ଏହା ସହିତ ଚଳିତ ଦ୍ୱିତୀୟ ଚରଣରେ ଭାରତ ପାଞ୍ଚଟି ପଦକ ସହ ଅଭିଯାନ ଶେଷ କରିଛି।