ବିରାଟ ଓ ସୁନ୍ଦରଙ୍କ ଅଭ୍ୟାସ; ସିରାଜ୍ ଉତ୍ସାହୀ

ଚେନ୍ନାଇ,ଏଜେନ୍ସି: ଆସନ୍ତା ୫ ତାରିଖଠାରୁ ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ। ଏହି ସିରିଜରେ ଘରୋଇ ଦଳ ପ୍ରତିପକ୍ଷ ଇଂଲଣ୍ଡକୁ ଧୂଳି ଚଟାଇ ଐତିହାସିକ ସଫଳତା ଦୋହରାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ତେବେ ଭାରତୀୟ ଟିମର ଖେଳାଳିମାନେ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। କୋଭିଡ୍ ନିୟମ ମୁତାବକ ସେମାନେ ନିଜ ନିଜ ରୁମ୍ ଭିତରେ ସୀମିତ ରହୁଛନ୍ତି। କିନ୍ତୁ ଏହା ସତ୍ତେ୍ୱ ବି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଗତ ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିବା ୱାଶିଂଟନ୍ ସୁନ୍ଦର ଇନଡୋର୍ ଅଭ୍ୟାସ କରିଛନ୍ତି। ନିଜ ନିଜ ସୋସାଲ୍ ଆକାଉଣ୍ଟରେ ଉଭୟ ଖେଳାଳି ସେମାନଙ୍କ ଅଭ୍ୟାସ ବେଳର ଭିଡିଓ ଓ ଫଟୋ ଶେୟାର୍ କରିଛନ୍ତି। ଭାରତୀୟ ଖେଳାଳିମାନେ ୬ ଦିନ ପାଇଁ କ୍ୱାରେଣ୍ଟାଇନରେ ଥିବା ବେଳେ ଆସନ୍ତା ମଙ୍ଗଳବାରଠାରୁ ଆଉଟଡୋର୍ ଅଭ୍ୟାସ କରିପାରିବେ। ତେବେ କ୍ୱାରେଣ୍ଟାଇନ୍ ପିରିଅଡରେ କୋହଲି ବ୍ୟାୟାମରେ ଅଧିକ ସମୟ ବିତାଉଥିବା ବେଳେ ଶୁକ୍ରବାର ତାଙ୍କ ସୋସାଲ୍ ଆକାଉଣ୍ଟ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି। ଉକ୍ତ କ୍ଷୁଦ୍ର ଭିଡିଓ କ୍ଲିପରେ ସେ ହୋଟେଲ୍ ରୁମ୍ ଭିତରେ ଇନଡୋର୍ ସାଇକ୍ଲିଂ ବାଇକ୍ ଚଳାଉଥିବାର ଦୃଶ୍ୟ ରହିଛି। ଉକ୍ତ ଭିଡିଓରେ କୋହଲି କ୍ୟାପସନ୍ ଭାବେ ଲେଖିଛନ୍ତି, କ୍ୱାରେଣ୍ଟାଇନ୍ ସମୟରେ କେବଳ ପ୍ରଫେସି ମ୍ୟୁଜିକ୍ ଓ ଜିମ୍ ଇକ୍ୟୁପମେଣ୍ଟ୍ ଆବଶ୍ୟକ। ଯଦି ଇଚ୍ଛାଶକ୍ତି ଥାଏ, ତା’ହେଲେ ଯେ କୌଣସି ସ୍ଥାନରେ ବି ଆମେ କିଛି ନା କିଛି କାମ କରିପାରିବା ବୋଲି କୋହଲି କ୍ୟାପସନ୍ ଲେଖିôଛନ୍ତି। ସେହିପରି ସୁନ୍ଦର ମଧ୍ୟ ତାଙ୍କ ଟ୍ୱିଟର୍ ହ୍ୟାଣ୍ଡଲରେ ଗୋଟିଏ ଫଟୋ ଅପଲୋଡ୍ କରିଛନ୍ତି, ଯେଉଁଥିରେ ସେ ହୋଟେଲ୍ ରୁମ୍ ଭିତରେ ଡମ୍ବେଲ୍ସ ସହ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ସେ ତାଙ୍କର ତିନିଟି ପୋଜ୍ର ଫଟୋ କୋଲାଜ୍ କରି ଅପଲୋଡ୍ କରିଛନ୍ତି।