ଦୁର୍ନୀତିଗ୍ରସ୍ତ ୯ ଅଧିକାରୀଙ୍କୁ ବିଦାକଲେ ସରକାର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦୁର୍ନୀତି ବିରୋଧରେ ସରକାରଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜଣେ ପରେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିବା ସହ ବାଧ୍ୟତାମୂଳକ ଅବସର ଦିଆଯାଇଛି। କିଛି ସ୍ଥାନରେ ଗିରଫ ବି କରାଯାଉଛି। ଶୁକ୍ରବାର ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ୱାସ୍ଥ୍ୟ, ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏଥିରୁ ୭ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଥିବାବେଳେ ୨ ଜଣଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି ୯ ଅଧିକାରୀଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୧୩ ଜଣଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ୱାଳଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କ ବିରୋଧରେ ୯ଟି ଭିଜିଲାନ୍ସ କେସ୍ ଥିଲା। ଗ୍ରୁପ-କ ପାହ୍ୟାର ଖଣି ଅଧିକାରୀ ରମେଶଚନ୍ଦ୍ର ମହାଲିକଙ୍କ ବିରୋଧରେ ରହିଛି ୪ଟି ଭିଜିଲାନ୍ସ କେସ୍। ତାଙ୍କର ସାଧୁତା ଓ ସଚ୍ଚୋଟତା ସନ୍ଦେହଜନକ ଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଭୁବନେଶ୍ୱରର ଯୁଗ୍ମ ଶ୍ରମ କମିଶନର ଶରତ ଚୌଧୁରୀ ଓ ଗଜପତି ଜିଲ୍ଲାର ଡିଭିଜିନାଲ ଶ୍ରମ କମିଶନର ନମିତା ଦାସଙ୍କୁ ନିଜ କାର୍ଯ୍ୟରେ ଅପାରଗତା ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି। ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ ଭୋଇଙ୍କ ବିରୋଧରେ ଗୋଟିଏ ଭିଜିଲାନ୍ସ କେସ୍ ରହିଛି। ଦୁର୍ନୀତି ଅଭିଯୋଗରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ହେଉଛନ୍ତି ଲକ୍ଷ୍ମଣ ପ୍ରଧାନ।

ତାଙ୍କ ବିରୋଧରେ ମଧ୍ୟ ରହିଛି ୨ଟି ଭିଜିଲାନ୍ସ କେସ୍। ଜଙ୍ଗଲ ବିଭାଗର ରେଞ୍ଜ ଅଫିସର ଭରତ କୁମାର ଘଡ଼େଇଙ୍କ ବିରୋଧରେ ୩ଟି ଭିଜିଲାନ୍ସ କେସ୍ ରହିଛି। ସୁନ୍ଦରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ନାରାୟଣ ପ୍ରଧାନଙ୍କ ନାମରେ ଭିଜିଲାନ୍ସ ମାମଲା ରହିଛି। ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ମୂଲ୍ୟ ୨କୋଟି ୨୦ଲକ୍ଷ ଟଙ୍କା । ଦେଓଗଡ଼ ଜିଲ୍ଲାରେ ତାଙ୍କର ୪ଟି କୋଠା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ରହିଛି। ବଲାଙ୍ଗିର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କର ୧ କୋଟି ୪୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ସହିତ ୧୦ଟି ପ୍ଲଟ୍ ଓ ୨ଟି କୋଠା ଠାବ କରାଯାଇଥିଲା । ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍ସ ମାମଲା ରହିଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।