ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ସମିତି ନିଯୁକ୍ତ: ଶିବ ସୁନ୍ଦର ଦାସ ସାମିଲ

ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ସିନିୟର ଚୟନ କମିଟିର ଚୟନକର୍ତ୍ତା ନିଯୁକ୍ତ କରାଯାଇଥିବା ନେଇ ଘୋଷଣା କରାଯାଇଛି । ଏଥିରେ ଚେତନ ଶର୍ମାଙ୍କୁ ପୁଣିଥରେ ଚୟନ ସମିତିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । କିନ୍ତୁ କିଛିଦିନ ପୂର୍ବରୁ ଚେତନଙ୍କ ଅଧ୍ୟକ୍ଷତାଯୁକ୍ତ ଚୟନ କମିଟିକୁ ବରଖାସ୍ତ କରାଯାଇଥିଲା । ଏହି ୫ଜଣିଆ ସମିତିରେ ଚେତନଙ୍କ ବ୍ୟତୀତ ଶିବ ସୁନ୍ଦର ଦାସ, ସୁବ୍ରତୋ ବାନାର୍ଜୀ, ସଲିଲ ଅଙ୍କୋଲା ଓ ଶ୍ରୀଧରନ ଶରତ ସାମିଲ ରହିଛନ୍ତି ।

ଚୟନକର୍ତ୍ତା ଭାବେ ନିଯୁକ୍ତ ହେବା ପରେ ଶିବ ସୁନ୍ଦର ଦାସ କହିଛନ୍ତି ଯେ, ବହୁତ ବଡ଼ ସୁଯୋଗ ମିଳିଥିବାରୁ ଖୁବ୍ ଖୁସି ଅଛି । ଯେଉଁ ଦାୟିତ୍ୱ ମିଳିଛି ତାହାକୁ ସମ୍ପାଦନ କରିବି । କୋଚିଂକୁ କ୍ୟାରିୟର କରିଥିଲି ଏବେ ନୂଆ ଦାୟିତ୍ୱ ମିଳିଛି । ସଠିକ ଚୟନ ଜରିଆରେ ଭଲ ଖେଳାଳି ବାଛିବୁ । ବିସିସିଆଇ ମୋ ଉପରେ ଭରସା କରିଥିବାରୁ ଧନ୍ୟବାଦ ।

ସୂଚନାଯୋଗ୍ୟ, ବୋର୍ଡ ତରଫରୁ ଏହି ୫ଟି ପଦ ପାଇଁ ୨୦୨୨ ନଭେମ୍ବର ୧୮ରେ ବିଜ୍ଞାପନ ଦିଆଯାଇଥିଲା । ଏଥିଲାଗି ବିସିସିଆଇ ମୋଟ ୬୦୦ ଆବେଦନ ପତ୍ର ଗ୍ରହଣ କରିଥିଲା ।