ପୌର ନିର୍ବାହୀ ଅଧିକାରୀଙ୍କୁ ଗିରଫ ଓ ଥାନା ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଏସପିଙ୍କୁ ଭୀମ ସେନା ପକ୍ଷରୁ ଦାବୀପତ୍ର ପ୍ରଦାନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ମାଡ଼ ଘଟଣାରେ ଉପନଗରପାଳ ବିଜେପିର ପ୍ରଜିତ କୁମାର ଭୋଜ ଓ ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତାଙ୍କୁ ଗତକାଲି ଦେବଗଡ଼ ଥାନା ପୁଲିସ ଗିରଫ କରିବା ଘଟଣାରେ ଆଜି ସକାଳୁ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ମଧ୍ୟାହ୍ନରେ ଭୀମ ସେନା ପକ୍ଷରୁ ସମ୍ପାଦକ ଭୋଲେଶ୍ୱର ପାତ୍ର ଓ ଉପସଭାପତି ଶତ୍ରୁଘ୍ନ ପାତ୍ରଙ୍କ ନେତୃତ୍ୱରେ ସଂଗଠନର ବହୁ ସଦସ୍ୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଞ୍ଚି ଆରକ୍ଷୀ ଅଧିକ୍ଷକ ପ୍ରମୋଦ କୁମାର ରଥଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ଉପନଗରପାଳ ପ୍ରଜିତ କୁମାର ଭୋଜଙ୍କୁ ଜାତିଆଣ ଆକ୍ଷେପ ସହ ଦୁର୍ବ୍ୟବହାର କରିଥିବା ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଦେବଗଡ଼ ଥାନା ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରିବାକୁ ଉଲ୍ଲେଖ ରହିଛି । ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପୌର କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରେ ବସି ଧାରଣା ପ୍ରଦର୍ଶନ କରିବା ସହ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ଓ ସିଏମଏମ ଅଭିଷେକ ମିଶ୍ରଙ୍କୁ ଗିରଫ ଦାବୀ କରୁଥିବା ଦେଖିବାକୁ ମିଳିଛି ।