ଗ୍ୟାସ ସିଲିଣ୍ଡର ଫାଟି ଶିକ୍ଷକ ଗୁରୁତର

ବ୍ରହ୍ମପୁର,ଏନ୍ଏନ୍ଏସ୍: ଛତ୍ରପୁର ନୂଆ ପୁଲିସ ଲାଇନ ସ୍ଥିତ ରାମକୃଷ୍ଣ ନଗର ସାହିରେ ଆଜି ଏକ ଅଘଟଣ ଘଟିଛି। ଗ୍ୟାସ ସିଲିଣ୍ଡର ଫାଟି ଗଞ୍ଜାମ ହାଇସ୍କୁଲର ଶିକ୍ଷକ ରବୀନ୍ଦ୍ର ନାଥ ନେପାକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।

ସୂଚନାନୁଯାୟୀ, ଛତ୍ରପୁର ନୂଆ ପୁଲିସ ଲାଇନ ସ୍ଥିତ ରାମକୃଷ୍ଣ ନଗର ସାହିର ରବୀନ୍ଦ୍ର ଭଡାରେ ରହୁଥିଲେ। ରବୀନ୍ଦ୍ର ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା। ଫଳରେ ରବୀନ୍ଦ୍ରଙ୍କ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଆଘାତ ଲାଗିଛି। ବିସ୍ଫୋରଣ ବେଳେ ରବୀନ୍ଦ୍ରଙ୍କ ପତ୍ନୀ ଏବଂ ପିଲା ଘର ବାହାରେ ଥିବା ଯୋଗୁଁ ସେମାନେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଅନ୍ୟପଟେ ଘରର ବେଡରୁମ, ରୋଷେଇ ଘର ଏବଂ ଡାଇନିଂ ରୁମରେ ଥିବା ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।