ଡକ୍ଟର ହର୍ଷବର୍ଦ୍ଧନ ବିଶ୍ୱ ଟିକାକରଣ ପରିଷଦର ସଦସ୍ୟ ମନୋନୀତ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ବିଶ୍ୱ ଟିକା ଓ ଟିକାକରଣ ପରିଷଦ (ଗାଭି)ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେ ଦକ୍ଷିଣ ପୂର୍ବ ଏବଂ ପଶ୍ଚିମ କ୍ଷେତ୍ର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରତିନିଧିତ୍ୱ କରିବେ। ସେ ୨୦୨୧ ଜାନୁଆରୀ ପହିଲାରୁ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ସଦସ୍ୟ ରହିବେ। ଏବେ ମିଆଁମାରର ମିଣ୍ଟ ଡେ ଏହି ଦାୟିତ୍ୱରେ ଅଛନ୍ତି। ‘ଗାଭି’ ବୋର୍ଡ ବିଶ୍ୱରେ ଟିକା ବିତରଣ ସମେତ ଏହାର କାର୍ଯ୍ୟକାରିତା ତଦାରଖ କରିଥାଏ। ବିଭିନ୍ନ ସହଭାଗୀ ସଂଗଠନ ତଥା ବେସରକାରୀ କ୍ଷେତ୍ରର ବିଶେଷଜ୍ଞଙ୍କ ସହଯୋଗରେ ବୋର୍ଡ ନିଷ୍ପତ୍ତି ଗ୍ରହଣ କରିଥାଏ। ‘ଗାଭି’ ବିଶ୍ୱର ସବୁଠାରୁ ଗରିବ ଦେଶମାନଙ୍କରେ ୮୨.୨ କୋଟିରୁ ଅଧିକ ଶିଶୁଙ୍କ ଟିକାକରଣ ସହିତ ଭବିଷ୍ୟତରେ ୧୪ ନିୟୁତରୁ ଅଧିକ ଜୀବନ ବଞ୍ଚାଇବା ପାଇଁ ପଦକ୍ଷେପ ନେଉଥିବା ଜଣାପଡିଛି।