ଝାରସୁଗୁଡ଼ା ବିମାନ ବନ୍ଦରରେ ଯାତ୍ରୀଙ୍କୁ ମିଳିଲାନି ଟ୍ୟାକ୍ସି, ଯାତ୍ରୀ ଚାଲିଚାଲି ଗଲେ ବସଷ୍ଟାଣ୍ଡ

ଝାରସୁଗୁଡା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡ଼ା ଜିଲ୍ଲାରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସ୍ଥାପନ ହେଲା ପରେ ଏହା ଜିଲ୍ଲାକୁ ଦେଶର ବିଭିନ୍ନ ସହର ସହ ଯୋଡି ସାରିଛି। ଲୋକେ ସୁବିଧାରେ ତଥା ସମୟ ବଞ୍ଚାଇ ଯାତାୟାତ କରିବା ପାଇଁ ବିମାନ ଯୋଗେ ଆସୁଛନ୍ତି। ତେବେ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବିମାନରୁ ଓହ୍ଲାଇବା ପରେ ଟ୍ୟାକ୍ସି ନମିଳିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିପରି ଅଭିଯୋଗ ଆଣିଛନ୍ତି କୋଲକାତାର ଶୁଭ୍ରଜିତ ଦତ୍ତ ଓ ବିନୟ ପ୍ରକାଶ।

ସେମାନେ କହିଛନ୍ତି ଯେ, ଗତକାଲି ସେମାନେ କୋଲକାତାରୁ ବିମାନ ଯୋଗେ ଝାରସୁଗୁଡ଼ା ଜିଲ୍ଲାକୁ ଆସିଥିଲେ। ରାତି ୮ ଟାରେ ଝାରସୁଗୁଡ଼ାରେ ପହଞ୍ଚି ଟ୍ୟାକ୍ସି ଷ୍ଟାଣ୍ଡକୁ ଯିବାପରେ ସେଠାରେ କେବଳ ୩ଟି ଟ୍ୟାକ୍ସି ଛିଡା ହୋଇଥିଲା। ସେମାନଙ୍କୁ ବସ ଷ୍ଟାଣ୍ଡ ଯିବା ପାଇଁ ପଚାରିବାରୁ ସମସ୍ତ ଟ୍ୟାକ୍ସି ଅନଲାଇନ ବୁକ ଅଛି ବୋଲି ଡ୍ରାଇଭରମାନେ କହିଥିଲେ। ଫଳରେ ଶୁଭ୍ରଜିତ, ବିନୟ ତଥା ଅନ୍ୟ ଯାତ୍ରୀମାନେ ବାଧ୍ୟ ହୋଇ ଚାଲି ବସ୍‌ଷ୍ଟାଣ୍ଡ ଯିବା ପାଇଁ ବାଧ୍ୟ ହୋଇଥିଲା। ତେବେ ଏତେ ବଡ ବିମାନ ବନ୍ଦରରେ ଉପଯୁକ୍ତ ଟ୍ୟାକ୍ସି ସେବା ମିଳି ନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିବାସହ ଯାତ୍ରୀଙ୍କ ପାଇଁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ସଠିକ ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି।

ଅନ୍ୟପଟେ ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତିଙ୍କୁ ପଚାରିବାରୁ କହିଛନ୍ତି ବିମାନ ବନ୍ଦରରୁ ଟ୍ୟାକ୍ସି ଚଳାଇବା ପାଇଁ ଏକ କମ୍ପାନୀକୁ ଟେଣ୍ଡର ଦିଆଯାଇଛି। ଏବଂ ବିମାନ ବନ୍ଦରରେ ଏଥିପାଇଁ ଏକ ପୃଥକ କାଉଣ୍ଟର ରହିଛି। ଯାତ୍ରୀମାନେ ସେଠାରୁ ଟ୍ୟାକ୍ସି ବୁକ କରି ଯାତାୟାତ କରିପାରିବେ। ଅନ୍ୟପଟେ ଯଦି କୌଣସି ଯାତ୍ରୀ ଟ୍ୟାକ୍ସି ବୁକିଂ ପାଇଁ ଅସୁବିଧା ଭୋଗୁଛନ୍ତି ତେବେ ଏନେଇ ଟେଣ୍ଡର ନେଇଥିବା କମ୍ପାନୀ ସହ ଆଲୋଚନା କରି ଯାତ୍ରୀଙ୍କ ପାଇଁ ସୁବିଧା କରାଯିବ। ପ୍ରକାଶଯୋଗ୍ୟ ଯେ ବିମାନ ବନ୍ଦର ଆରମ୍ଭରେ ସ୍ଥାନୀୟ ଟ୍ୟାକ୍ସି ଚାଳକମାନେ ଯାତ୍ରୀଙ୍କୁ ନେବା ଆଣିବା କରୁଥିଲେ। ହେଲେ ଯାତ୍ରୀ ନେବା ଆଣିବା ପାଇଁ ଟେଣ୍ଡର ଦିଆଯିବା ପରେ ସ୍ଥାନୀୟ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ବିମାନବନ୍ଦର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ।