କୋରାପୁଟ,ଏନ୍ଏନ୍ଏସ୍: ପାଡୁଆ ଓ ଲମତାପୁଟ ପୁଲିସ୍ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୩ଟି ଗାଡ଼ି ଜବତ କରିଛି। ହେଲେ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ମାଫିଆ ଖସିଯିବାରେ ସଫଳ ହୋଇଥିବା ଜଣାପଡ଼ିଛି। ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶରେ ଚୋରା ଗଞ୍ଜେଇ ଧରପଗଡ଼ ପାଇଁ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପାଡୁଆ ଓ ଲମତାପୁଟ ପୁଲିସକୁ ନେଇ ୨ଟି ଟିମ୍ ଗଠନ କରାଯାଇ ରାତ୍ରୀ ପାଟ୍ରୋଲିଂ କରାଯାଉଥିଲା। ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଗଞ୍ଜେଇ ନେଇ ଗୋଟିଏ ବଲେରୋ ଓ ଅନ୍ୟ ଏକ ପିକଅପ୍ ଭ୍ୟାନ ଜୟପୁର ଆଡ଼କୁ ଯାଉଥିବାବେଳେ ଲମତାପୁଟ ପୁଲିସ୍ ଚାଙ୍ଗଡ଼ିପଡ଼ା ଛକରେ ଗାଡ଼ିକୁ ଆଟକାଇଥିଲା। ପୁଲିସକୁ ଦେଖି ୪ଜଣ ଗଞ୍ଜେଇ ମାଫିଆ ଗାଡ଼ି ଛାଡ଼ି ଖସି ପଳାଇଥିଲେ। ବଲେରୋ ଓ ପିକଅପ୍ ଭ୍ୟାନରୁ ପୁଲିସ୍ ୪୮୦ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି।
ସେହିପରି ପାଡୁଆ ଥାନା ପୁଲିସ ରାତ୍ରୀ ପେଟ୍ରୋଲିଂ କରୁଥିବାବେଳେ ବଦଲାପୁଟ ନିକଟରେ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ମିନି ଟ୍ରକକୁ ଅଟକାଇ ଯାଞ୍ଚ କରିବାବେଳେ ସେଥିରୁ ୨୩୬ କିଲୋ ୮୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଉତ୍ତର ପ୍ରଦେଶ ଓ ବିହାରକୁ ଚାଲାଣ ହେଉଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜବତ ଗଞ୍ଜେଇର ସ୍ଥାନୀୟ ବଜାର ମୂଲ୍ୟ ୨୧ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବାବେଳେ ଅନ୍ତଃରାଜ୍ୟରେ ଏହାର ମୂଲ୍ୟ ୭୦ ଲକ୍ଷ ହେବ ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି।