ଖୁବଶୀଘ୍ର ମିଳିବ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୨ରୁ ୨୪ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିଯିବ। କିନ୍ତୁ ଦର୍ଶନ ଆରମ୍ଭ ପରେ ମଧ୍ୟ କଟକଣା ଜାରି ରହିବ। ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ବୈଠକ ପରେ ମୁଖ୍ୟ ପ୍ରଶାସକ ଡା.କ୍ରିଷ୍ଣନ କୁମାର କହିଛନ୍ତି। ଆଉ ସରକାର ଅନୁମତି ଦେବା ପରେ ମନ୍ଦିର ଖୋଲି ଦିଆଯିବ ବୋଲି ଜଣାପଡ଼ିଛି। ମନ୍ଦିର ଖୋଲିବା ପରେ ୪/୫ ଦିନ ପୁରୀ ଲୋକଙ୍କୁ ଦର୍ଶନ ଲାଗି ଅନୁମତି ଦିଆଯିବ। ଭିଡ଼ ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ। ୩ ତାରିଖଠାରୁ ପ୍ରତିଦିନ ୫ ହଜାର ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ। ମାସେ ଓ ୨ମାସ ପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ିବ। ୩ ତାରିଖ ପରେ ପୁରୀ ସହ ବାହାର ଲୋକ ମଧ୍ୟ ଦର୍ଶନ କରିପାରିବେ। ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସଓପି ଜାରି କରାଯିବ। ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ସହ ସାନିଟାଇଜର ଲଗାଇବା ଜରୁରୀ। ଶ୍ରୀମନ୍ଦିର ୪ ଦ୍ୱାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଦିଆଯିବ। ଜିଲ୍ଲା ବାହାର ଲୋକଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବ। ଏଥିସହିତ ୬୫ ବର୍ଷରୁ ଅଧିକ ବୟସ୍କ ଓ ଛୋଟ ପିଲାଙ୍କୁ ନଆସିବାକୁ ଅନୁରୋଧ କରାଯାଇଛି ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ କ୍ରିଷ୍ଣନ କହିଛନ୍ତି।