ଟାଟାକୁ ୨୭ ଜାନୁଆରୀରେ ମିଳିିବ ଏୟାର୍‌ଇଣ୍ଡିଆ

ନୂଆଦିଲ୍ଲୀ,ଏଜେନ୍ସି: ଗତତନ୍ତ୍ର ଦିବସ ପରେ ପରେ ଯେ କୌଣସି କାର୍ଯ୍ୟଦିବସରେ ଅର୍ଥାତ୍ ୨୭ ଜାନୁଆରୀରେ ଟାଟା ହାତକୁ ପୂର୍ଣ୍ଣକାଳୀନ ଭାବେ ଆସିଯିବ ଏୟାର୍‌ଇଣ୍ଡିଆ। ଚଳିତ ସପ୍ତାହାନ୍ତ ମଧ୍ୟରେ ସମସ୍ତ ଔପଚାରିକତା ସମ୍ପନ୍ନ କରାଯାଇ ଟାଟାକୁ ଏୟାର୍‌ଇଣ୍ଡିଆ ସମର୍ପି ଦିଆଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ ଯେ ଗତ ୮ ଅକ୍ଟୋବରରେ ସରକାର ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନୀ ଏୟାର୍‌ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କ ବିନିମୟରେ ଟାଟା ସନ୍ସକୁ ବିକ୍ରି କରିଦେଇଥିଲେ। ୨୫ ଅକ୍ଟେବାରରେ ସରକାର ଏ ନେଇ ଟାଟା ସହିତ ଶେୟାର୍ ବିକ୍ରି ବୁଝାମଣା ସ୍ୱାକ୍ଷର କରିଥିଲେ।

ଏୟାର୍‌ଲାଇନ୍‌ସର ଆର୍ଥିକ ବ୍ୟାପାର ନିର୍ଦ୍ଦେଶକ ବିନୋଦ ହେଜ୍‌ମାଦୀ କହିଛନ୍ତି ଯେ ଆଗାମୀ ତିନିଦିନ ଆମ ପାଇଁ କଠିନ ସମୟ। ଦିବାରାତ୍ରୀ କାର୍ଯ୍ୟ କରି ଏହି କାର୍ଯ୍ୟକୁ ସମ୍ପନ୍ନ କରିବାକୁ ସେ ସମସ୍ତ କର୍ମଚାରୀଙ୍କୁ ଇମେଲ୍ ଜରିଆରେ ଆଗ୍ରହ କରିଛନ୍ତି।

ସୂଚନାଯୋଗ୍ୟ ଯେ ହସ୍ତାନ୍ତର ପରେ ଟାଟା ଗ୍ରୁପ୍ ହାତରେ ତିନୋଟି ଏୟାର୍‌ଲାଇନ୍ ଯଥାକ୍ରମେ ଭିସ୍ତାରା, ଏୟାର୍‌ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର୍‌ଇଣ୍ଡିଆ ରହିଯିବ। ଟାଟା ଗ୍ରୁପ୍ ଏୟାର୍‌ଇଣ୍ଡିଆର ଅପରେସ୍‌ନାଲ୍ ତଥା ସେବା ମାନ୍ୟତାକୁ ଅପ୍‌ଡେଟ୍ କରିବା ପାଇଁ ୧୦୦ ଦିନିଆ ଯୋଜନା କରିଛି।