କରାଚୀରୁ ଆସିଲା ଫୋନ୍: ତାଜ ହୋଟେଲକୁ ଉଡ଼ାଇଦେବାକୁ ଧମକ

 ନୂଆଦିଲ୍ଲୀ: ମୁମ୍ବାଇର ପ୍ରସିଦ୍ଧ ତାଜ ହୋଟେଲକୁ ବୋମା ପକାଇ ଉଡ଼ାଇଦେବାର ଧମକ ଫୋନ୍ ଯୋଗେ ମିଳିଛି। ସୂତ୍ର ଅନୁଯାୟୀ, ଏହି କଲ୍ କଥିତ ରୂପରେ ପାକିସ୍ତାନର କରାଚୀରୁ ଆସିଥିଲା। କରୋନା କାଳରେ ଏପରି ଏକ ଫୋନ୍ କଲ୍ ସଭିଙ୍କ ଚିନ୍ତା ବଢ଼ାଇ ଥିବାବେଳେ ମୁମ୍ବାଇ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।

ପୁଲିସର କହିବାନୁଯାୟୀ, କଲର୍ ଜଣକ ମୁମ୍ବାଇର ତାଜ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ କରିବାର ଧମକ ଦେଇଥିଲେ। ଆଉ ଏହାକୁ ଦୃଷ୍ଟିର ରଖି ତାଜ ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହୋଟେଲକୁ ଆସୁଥିବା ସମସ୍ତ ଅତିଥୀ ଓ ସେମାନଙ୍କ ଗତିବିଧୀ ଉପରେ ନଜର ରଖାଯାଇଛି। ଏଥିସହିତ ତାଜ ହୋଟେଲର ଆଖପାଖ ଅଂଚଳରେ ମଧ୍ୟ ପେଟ୍ରୋଲିଂ ବଢ଼ାଇ ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇର ତାଜ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀଙ୍କ ଏହି ଉନ୍ମତ୍ତ କାଣ୍ଡ ଯୋଗୁ ୧୬୬ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଥିବାବେଳେ ୩୦୦ରୁ ଅଧିକ ଗୁରୁତର ହୋଇଥିଲେ। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨୮ଜଣ ବିଦେଶୀ ନାଗରିକ ମଧ୍ୟ ସାମିଲ ଥିଲେ। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ଯୁଦ୍ଧମୁହାଁ ହୋଇଥିଲେ।