ଦେବଗଡ଼,ଏନ୍ଏନ୍ଏସ୍: ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଥିଲେ ହେଁ ଅର୍ଥାଭାବରୁ ଚିକିତ୍ସାରୁ ବଂଚିତ ଜଣେ ଯୁବକ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବଲଣ୍ଡା ପଂଚାୟତ ମୁଖ୍ୟାଳୟରେ। ମିଳିଥିବା ରିପୋର୍ଟ ମୁତାବକ, ଗତ ଏପ୍ରିଲ ୧୬ ତାରିଖ ସଂନ୍ଧ୍ୟାରେ ବଲଣ୍ଡା ଗାମ ଜଙ୍ଗଲ ରାସ୍ତାରେ ଜନ୍ତୁ ଶିକାର ପାଇଁ ଉକ୍ତ ଗ୍ରାମର ବାପ ପୁଅ କ୍ଷମାନିଧି ମଲ୍ଲିକ ଓ ସୁନିଲ ମଲ୍ଲିକ ୧୧କେଭି ବିଦ୍ୟୁତ ଖୁଣ୍ଟରୁ ଚୋରା ବିଦ୍ୟୁତ ସଂଯୋଗ କରି ଲୁହା ତାରରେ ବିଦ୍ୟୁତ ଫାସ ବସାଇଥିଲେ। ମାତ୍ର ଉକ୍ତ ରାସ୍ତା ଦେଇ ସେହିଦିନ ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ ବଲଣ୍ଡା ଗ୍ରାମର ମୁନୀ ଭୂୟାଁଙ୍କ ବଡ଼ ପୁଅ ବିଭୁ ଭୂୟାଁ (୨୬) ଘରକୁ ଫେରୁଥିବାବେଳେ ସେଠାରେ ବିଛା ଯାଇଥିବା ବିଦ୍ୟୁତ ଫାସରେ ଛନ୍ଦି ହୋଇ ଗୁରୁତରଭାବେ ପୋଡ଼ି ଯାଇଥିଲେ। ସ୍ଥାନୀୟ ଓ ପରିବାର ଲୋକଙ୍କ ସହାୟତାରେ ବିଭୁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାରକୋଟ ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ବିଭୁଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯାଇ ବିଭୁଙ୍କ ବାମହାତ କଟାଯାଇଥିବା ବେଳେ ଶରୀରର ୮୦ପ୍ରତିଶତ ପୋଡ଼ି ଯାଇଥିବାରୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବା ଦର୍ଶାଇ ବୁର୍ଲା ଡାକ୍ତରଖାନାରୁ କଟକକୁ ସ୍ଥାନାନ୍ତର କରିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ମାତ୍ର ବିଭୁଙ୍କ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବାରୁ ମୂଲ ନ ଲାଗିଲେ ପରିବାର ପାଳିବା ତାଙ୍କ ପାଇଁ ଅସମ୍ଭବ। ତେଣୁ ବିଭୁଙ୍କ ପରିବାର ଆର୍ଥିକ ଅନଟନ କାରଣରୁ ଚିକିତ୍ସା ପାଇଁ ତାଙ୍କୁ କଟକ ନେବାରେ ଅସମର୍ଥ ହେବାରୁ ବାଧ୍ୟ ହୋଇ ନିଜ ଗ୍ରାମକୁ ଫେରାଇ ଆଣିଛନ୍ତି। ବିଭୁଙ୍କ ଶରୀରରୁ ଚମଡ଼ା ଛାଡ଼ି ଯାଇଥିବା ବେଳେ ପୋଡ଼ା ଘା’ ମଧ୍ୟ ଶୁଖି ପାରୁନାହିଁ। ଅନ୍ୟପଟେ ଚିକିତ୍ସା ଅଭାବରୁ ଶରୀରରେ ଅନ୍ୟ ରୋଗ ସଂକ୍ରମଣର ଆଶଙ୍କା ଦେଖା ଦେଇଛି। ଫଳରେ କୌଣସି ଉପାୟ ନପାଇ ବିଭୁ ଓ ପରିବାର ଲୋକେ ତାଙ୍କ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିିଥିବା ଦେଖିବାକୁ ମିଳିଛି। ଜନ୍ତୁ ଶୀକାର ଲାଳସାରେ ଜଣେ ଶିକାରୀର ବେଆଇନ କାର୍ଯ୍ୟ ଯୋଗୁ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ବିଭୁର ଚିକତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।