ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି: ସ୍ୱାସ୍ଥ୍ୟବୀମା ଥିଲେ କ୍ଲେମ୍ ଖାରଜ କରିପାରିବେନି ବୀମା କମ୍ପାନୀ

ନୂଆଦିଲ୍ଲୀ,ଏଜେନ୍ସି: ସ୍ୱାସ୍ଥ୍ୟ ବୀମା କ୍ରୟ କରିବା ସମୟରେ ବୀମାଧାରକଙ୍କୁ ନିଜ ରୋଗର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିଥାଏ। ଏହି ବିବରଣୀ ଅତିରିକ୍ତ ଅନ୍ୟ କୌଣସି ରୋଗରେ ଯଦି ବୀମାଧାରକ ଆକ୍ରାନ୍ତ ହୁଅନ୍ତି, କିମ୍ବା ଅନ୍ତର୍ଭୁକ୍ତ କରାଯାଇନଥିବା କୌଣସି ରୋଗରେ ପୀଡ଼ିତ ହୁଅନ୍ତି, ସେପରି କ୍ଷେତ୍ରରେ ବୀମା କମ୍ପାନୀମାନେ ବୀମାର ସମାଧାନ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରିଥାନ୍ତି। ଏଣିକି ଏପରି ବାହାନା କରି ବୀମା କମ୍ପାନୀମାନେ କୌଣସି କ୍ଲେମ୍‌କୁ ଖାରଜ କରି ପାରିବେ ନାହିଁ।

ସୁପ୍ରିମ୍‌କୋର୍ଟ ଏକ ବୀମା କ୍ଲେମ୍‌ର ଶୁଣାଣି କରିବା ଅବସରରେ କହିଛନ୍ତି ଯେ ପ୍ରପୋଜାଲ୍ ଫର୍ମରେ ସୂଚୀତ କରାଯାଇଥିବା କିମ୍ବା କରାଯାଇନଥିବା କୌଣସି ରୋଗର ବାହାନା ଦେଖାଇ ବୀମା କମ୍ପାନୀମାନେ ବୀମାଧାରକଙ୍କ କ୍ଲେମ୍‌କୁ ଖାରଜ କରିପାରିବେ ନାହିଁ। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼୍ ଓ ଜଷ୍ଟିସ୍ ବିୱାଇ ନାଗରତ୍ନାଙ୍କ ପୀଠ କହିଛନ୍ତି ଯେ ବୀମା କ୍ରୟ କରୁଥିବା ବ୍ୟକ୍ତିର ଏହା କର୍ତ୍ତବ୍ୟ କି ସେ ବୀମା କମ୍ପାନୀକୁ ନିଜ ରୋଗ ସମ୍ବନ୍ଧରେ ସ୍ପଷ୍ଟ ସୂଚନା ଦେବ। ଅପରପକ୍ଷରେ ବୀମା କ୍ରୟ କରୁଥିବା ବ୍ୟକ୍ତି ନିଜ ସମ୍ବନ୍ଧରେ ଜ୍ଞାତ ତଥ୍ୟ ହିଁ ସୂଚୀତ କରିଥାଏ। ବୀମା ଧାରକର ମେଡିକାଲ୍ ସ୍ଥିତିକୁ ଆକଳନ କରିସାରିବା ପରେ ବୀମା ଜାରି କରାଯାଇଥାଏ। ତତ୍‌ପରେ ବର୍ତ୍ତମାନର ଚିକିତ୍ସା ସ୍ଥିତିକୁ ଆଳ କରି ବୀମା କ୍ଲେମ୍‌କୁ ଖାରଜ କରାଯାଇ ପାରିବ ନାହିଁ ବୋଲି ପୀଠ କହିଛନ୍ତି।