ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଉଥିବା ଆନ୍ଧ୍ର ସରକାରକୁ ସୁପ୍ରିମକୋର୍ଟ କଡ଼ା ଚେତାବନୀ ଦେଇଛନ୍ତି। ପରୀକ୍ଷା ସମୟରେ ଯଦି କାହାରି ମୃତ୍ୟୁ ହୁଏ ତେବେ ଆମେ ଆନ୍ଧ୍ର ସରକାରଙ୍କୁ ଦାୟୀ କରିବୁ। ଏଥିସହିତ ସେହି ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇପାରୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟ ରାଜ୍ୟମାନେ ବୋର୍ଡ ପରୀକ୍ଷା ବାତିଲ କରିଥିବାବେଳେ ଆନ୍ଧ୍ର କ’ଣ ପାଇଁ କରିନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ଡେଲ୍ଟା ଭାଇରସର ନୂଆ ଭେରିଆଣ୍ଟ କିଭଳି ପ୍ରଭାବ ପକାଇବ ତାହା ଆମକୁ ଜଣାନାହିଁ। ଏହା ସମସ୍ତଙ୍କ ସ୍ୱାସ୍ଥ୍ୟର କଥା ହୋଇଥିବାବେଳେ ଆନ୍ଧ୍ର କିଭଳି ପରୀକ୍ଷା କରାଇବାକୁ ମନସ୍ଥ କଲା।
ସୂଚନାଯୋଗ୍ୟ, ଆନ୍ଧ୍ର ବୋର୍ଡ ପରୀକ୍ଷା କରାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଗୋଟିଏ ଶ୍ରେଣୀଗୃହରେ ୧୫ ଜଣଙ୍କୁ ବସିବାର ଅନୁମତି ପ୍ରଦାନ କରାଯିବ ବୋଲି ଆନ୍ଧ୍ର କହୁଛି। ଅନ୍ୟପଟେ ଏଭଳି ସ୍ଥିତିରେ ଦ୍ୱାଦଶ ପରୀକ୍ଷା ସମ୍ପନ୍ନ କରିବା ପାଇଁ ଆନ୍ଧ୍ର ୩୪ ହଜାର ୫୦୦ ଶ୍ରେଣୀଗୃହର ବ୍ୟବସ୍ଥା କରିପାରିବ କି ସୁପ୍ରିମକୋର୍ଟ ପଚାରିଛି।