ନୂଆଦିଲ୍ଲୀ: ଦେଶରେ ଏବେ ପିଲାଙ୍କ ଉପରେ କରୋନା ଭ୍ୟାକ୍ସିନର ଟ୍ରାଏଲ ଆରମ୍ଭ ହୋଇଛି। ବତ୍ତର୍ମାନ ସୁଦ୍ଧା ୨ରୁ ୬ ବର୍ଷ ପର୍ଯ୍ୟନ୍ତ ୫ଜଣ ପିଲାଙ୍କୁ ଟିକା ଦିଆଯାଇଛି। ପ୍ରଥମଥର ପାଇଁ ୨ବର୍ଷ ୮ ମାସର ପିଲାକୁ ଟିକା ଲଗାଯାଇଛି। କାନପୁର ଦେହାତର ଜଣେ ଡାକ୍ତର ତାଙ୍କ ଝିଅ ଉପରେ ଭ୍ୟାକ୍ସିନ ଟ୍ରାଏଲ କରାଇଛନ୍ତି। ଏହି ପିଲାଙ୍କ ଉପରେ ଭ୍ୟାକ୍ସିନ ଟ୍ରାଏଲ କରିବା ପୂର୍ବରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।
କାନପୁର ଡାକ୍ତର ଜେଏସ୍ କୁଶବାହା କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୨ରୁ ୧୮ ବର୍ଷର ୨୦ ପିଲାଙ୍କୁ ଭ୍ୟାକ୍ସିନ ଡୋଜ୍ ଦିଆଯାଇଥିବାବେଳେ ୬ରୁ ୧୨ ବର୍ଷର ୨୦ ଓ ୨ରୁ ୬ ବର୍ଷର ୫ଜଣଙ୍କୁ ଟିକାକରଣ କରାଯାଇଛି। ସବୁ ପିଲା ସୁସ୍ଥ ଅଛନ୍ତି। କାହାଠାରେ ସେମିତି କିଛି ବଡ଼ ସମସ୍ୟା ପରିଲକ୍ଷିତ ହୋଇନାହିଁ।
ସୂଚନାଯୋଗ୍ୟ, ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପିଲାଙ୍କ ଉପରେ ‘କୋଭାଭେକ୍ସ’ ଭ୍ୟାକ୍ସିନର ଟ୍ରାଏଲ ଜୁଲାଇରୁ ଆରମ୍ଭ କରିବ ବୋଲି ସଙ୍କେତ ଦେଇଛି। ଅନ୍ୟପଟେ ସେପ୍ଟେମ୍ବର ସୁଦ୍ଧା ପିଲାଙ୍କୁ ‘କୋଭାକ୍ସିନ’ ଟିକା ଦିଆଯିବ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି। ଏଥିସହିତ ଫାଇଜର-ବାୟୋଏନଟେକକୁ ଯଦି ଭାରତରେ ମଞ୍ଜୁରୀ ମିଳିଯାଏ ତେବେ ପିଲାଙ୍କ ଲାଗି ଏହା ମଧ୍ୟ ଏକ ବିକଳ୍ପ ରୂପେ ବ୍ୟବହାର କରାଯାଇପାରିବ।