ଆଜି ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ,ଏନ୍ଏନ୍ଏସ୍: ଆଜି ପୌଷ ପୂର୍ଣ୍ଣମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନନ୍ୟ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରି ରାଜାରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ ।

ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରିବା ପରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁଷ୍ୟାଭିଷେକ ନୀତି ପାଳନ ହେବ । ଏଥିପାଇଁ ଗୁରୁବାର ଚନ୍ଦନଲାଗି ନୀତି ପରେ ଭୋଗମଣ୍ଡପ ଘରେ ଜଳ ଓ ଘୃତ ଅଧିବାସ ହୋଇଛି । ଶୁକ୍ରବାର ସକାଳ ଧୂପ ସରିବା ପରେ ସ୍ୱତନ୍ତ୍ର ନୀତି ହେବ । ରତ୍ନସିଂହାସନ ତଳେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡରେ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ ହେବ । ଆଜି ଆଂଶିକ ଗ୍ରହଣ ଥିବାରୁ ପୁରୀ ଶ୍ରୀମନ୍ଦିରରେ ପୂଜା ନୀତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।