୨୪ ଘଣ୍ଟା ମାଲକାନଗିରି ବନ୍ଦ ଡାକରା, ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲାପାଳଙ୍କ ପିଏ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ପିଏଙ୍କ ମୃତ୍ୟୁ ପାଇଁ ଜିଲାପାଳ ଦାୟୀ ଏବଂ ତାଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରି ଶୁକ୍ରବାର ବନ୍ଦ ଡାକରା ଦେଇଛି। ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନେତୃତ୍ଵରେ ଦଳ ପକ୍ଷରୁ ଜିଲାରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏଥିପାଇଁ ଜିଲାର ବିଭିନ୍ନ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଆଜି ଜିଲ୍ଲାର ଅଧିକଂଶ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଏପରିକି ଆଜି ଅଧିକାଂଶ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ସରକାରୀ ଅଫିସମାନଙ୍କରେ ମଧ୍ୟ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ବନ୍ଦ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତ ଦେଖା ନ ଯାଏ ସେଥିଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାସାରା ପୁଲିସ ଛାଉଣି କରାଯାଇଛି। ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ବନ୍ଦ ପାଳନର ନେତୃତ୍ୱ ନେଉଥିବା ଜଣାଯାଇଛି ।
ସୂଚନାଯୋଗ୍ୟ, ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଥିଲେ ଯେ ମାଲକାନଗିରିର ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ପାଇଁ ମଧ୍ୟ ଜିଲ୍ଲାପାଳ ହିଁ ଦାୟୀ। ରାଜ୍ୟ ସରକାର ତୁରନ୍ତ ଜିଲ୍ଲାପାଳଙ୍କୁ ବଦଳି କରନ୍ତୁ, ନଚେତ କଂଗ୍ରେସ ପକ୍ଷରୁ ପୂରା ଜିଲ୍ଲାରେ ବନ୍ଦ ପାଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।