ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଉପ କାରାଗାରରେ ଜଣେ ବିଚାରାଧିନ ମାଓବାଦୀ ଗତକାଲି ଅପରାହ୍ନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବିଚାରାଧିନ ମାଓବାଦୀ ଜଣକଙ୍କ ନାମ ଦାନୁ ଗୋଲରୀ (୩୫) ଓ ତାଙ୍କର ଘର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତ ଅନ୍ତର୍ଗତ ଖଜୂରୀଗୁଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ ଅକ୍ଟୋବର ୨୦ ତାରିଖରେ ମାଓବାଦୀମାନେ ଖଜୂରୀଗୁଡ଼ା ଗ୍ରାମର ଦାସ ଖେମେଡୁ ନାମକ ଜଣେ ଗ୍ରାମବାସୀଙ୍କୁ ପୁଲିସ ସୂଚନାଦାତା ଭାବେ ହତ୍ୟା କରିଥିବା ବେଳେ ସନା ହନ୍ତାଳ ଓ ସମାରୁ ଖିଲଙ୍କୁ ନିସ୍ତୁକ ମାଡମାରିବା ଯୋଗୁଁ ୨ ଜଣ ଆହତ ହୋଇଥିଲେ। ତେବେ ଏହି ଘଟଣାରେ ସେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ବିଚାରାଧିନ ମାଓବାଦୀ ଜଣକ ବ୍ଲେଡ କିମ୍ବା କୌଣସି ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟିଥିବା ଅନୁମାନ କରାଯାଉଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ମଧ୍ୟ ଚର୍ଚ୍ଚା ଜୋରଧରିଛି।
ମାଲକାନଗିରି ଉପ କାରାଗାରରେ ସିସିଟିଭି ସହ ସୁରକ୍ଷାକର୍ମୀମାନେ ଦିନରାତ୍ର କଡ଼ା ସୁରକ୍ଷା ପ୍ରଦାନ କରୁଥିବାବେଳେ ଜଣେ ବିଚାରାଧିନ ମାଓବାଦୀ କିଭଳି ଦିନ ଦ୍ୱିପ୍ରହରରେ ଧାରୁଆ ଅସ୍ତ୍ର କାରାଗାର ଭିତରକୁ ନେଲେ ଓ ଆତ୍ମହତ୍ୟା କଲେ ,ତାହା ବର୍ତମାନ ସବୁଠାରୁ ବଡ଼ ପ୍ରଶ୍ନ। ମାଲକାନଗିରି ଆଦର୍ଶ ଥାନା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ କହିଛନ୍ତି।