ଅବକାରୀ ଚଢ଼ଉ,୨୮୦୦ ଲିଟର ପୋଚ ନଷ୍ଟ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ଲକ୍ଷ୍ମୀଧର ପରିଡାଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣର ପୋଚ ଓ ଚୋରାମଦ ସାମଗ୍ରୀ ଜବତ କରିଛି। କୋରାପୁଟ ବ୍ଲକର ଡୁମୁରିପଦର ପଞ୍ଚାୟତର ବିଭିନ୍ନ ସ୍ଥାନରେ ବ୍ୟାପକ ଚୋରାମଦ ପ୍ରସ୍ତୁତି ହେଉଥିବା ସୂଚନା ମିଳିବା ପରେ ଅବକାରୀ ଉପ-ଅଧୀକ୍ଷକ ଶାନ୍ତି ମାରାଣ୍ଡି, ଅବକାରୀ ନିରୀକ୍ଷକ ତେଜରାଜ୍ ଯାନୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ଡୁମୁରିପଦର ଓ ନିକଟସ୍ଥ ଗ୍ରାମାଞ୍ଚଳରେ ଚଢଉ କରିଥିଲେ। ଚଢ଼ଉବେଳେ ୨୮୦୦ ଲିଟର ମହୁଲ ଓ ଗୁଡ ପୋଚ ସହ ୫୬ଟି ପ୍ଲାଷ୍ଟିକ୍ ଡ୍ରମ୍, ଆଲୁମିନିଅମ୍ ଡେକଚି ଓ ୪ଟି ଟ୍ୟୁବରେ ରଖା ଯାଇଥିବା ୧୨୦ ଲିଟର ରନ୍ଧା ମଦ ଜବତ ହୋଇଥିଲା। ଏହି ଚଢ଼ଉରେ ଉପ-ନିରୀକ୍ଷକ ବିବେକାନନ୍ଦ ପେରାଇ, ଉଷାବତୀ ଗୌଡ଼ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ୍ ହୋଇଥିଲେ।