ନୟାଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ନୟାଗଡ଼ ପିଟିଏସ୍ ପଡ଼ିଆରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଯେଉଁ ମହାମାନବ ବରପୁତ୍ର ନିଜର ଅସୀମ ତ୍ୟାଗ, ଆତ୍ମବଳୀ ଦେଇ ଆମ ପାଇଁ ସ୍ୱାଧୀନତା ଆଣି ଭାରତକୁ ଏକ ସାର୍ବଭୈାମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିଛନ୍ତି ସେମାନେ ଆଜିର ଦିନରେ ଚିରନମସ୍ୟ ବୋଲି କହଛନ୍ତି।
ଏଥିସହ ସେ କହିଛନ୍ତି ଯେ, ସରକାରଙ୍କର ଅନେକ ଜନହିତକର ଯୋଜନା ଗୁଡ଼ିକ ପ୍ରଣୟନ କରାଯାଇ ଲୋକମାନଙ୍କୁ ସୁବିଧା ସୁଯୋଗ ଦିଆଯାଇଛି। ରାଜ୍ୟ ସରକାରଙ୍କର ନେତୃତ୍ୱରେ ଦୁଇ ଦଶନ୍ଧି ଧରି ରାଜ୍ୟରେ ଏକ ସ୍ଥିର ଓ ଦୃଢ଼ ସରକାର ତିଷ୍ଠି ରହିଛି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିବା ସହ କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ମନ୍ତ୍ରୀ ନୟାଗଡ଼ ଜିଲ୍ଲାର ପୂଜ୍ୟ ପୁରୁଷଙ୍କୁ ସ୍ମରଣ କରିଥିଲେ।
