କେନ୍ଦୁଝରରେ ସ୍ବାଧୀନତା ଦିବସ: ଅରୁଣ ସାହୁ କଲେ ପତାକା ଉତ୍ତୋଳନ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଷ୍ଟାଡିୟମଠାରେ ଆଜି ୭୪ ତମ ସ୍ଵାଧୀନତା ଦିବସ ପାଳିନ ହୋଇଛି। କରୋନା ଗାଇଡ ଲାଇନକୁ ଗୁରୁତ୍ୱ ଦେଇ ଏଠାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଷ୍ଟାଡିୟମରେ ପ୍ରବେଶ କରୁଥିବା ସମସ୍ତ ଅତିଥିଙ୍କ ସ୍କ୍ରିନିଂ କରାଯିବା ସହ ହାତକୁ ସାନିଟାଇଜ କରି ଭିତରକୁ ଯିବାକୁ ଦିଆଯାଇଥିଲା। ସାଧାରଣ ଲୋକଙ୍କୁ ଏଠାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା।

କାର୍ଯ୍ୟକ୍ରମକୁ କରୋନା ଯୋଦ୍ଧା ଡାକ୍ତର, ଷ୍ଟାଫ ନର୍ସ ଓ ସଫେଇ କର୍ମଚାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପୁଲିସର ବ୍ୟାଣ୍ଡ ସହ ମାତ୍ର ତିନୋଟି ସଶସ୍ତ୍ର ପୁଲିସ ବାହିନୀ ଗ୍ରୁପ୍ ପରେଡରେ ଯୋଗଦେଇ ମୁଖ୍ୟ ଅତିଥିଙ୍କୁ ସଲାମୀ ଦେଇଥିଲେ। ଓଡ଼ିଶାର କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

ପରେ ଶ୍ରୀ ସାହୁ ପୁଲିସ ବାହିନୀର ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କୁ ସ୍ମରଣ କରିଥିଲେ। ଏଥି ସହ କେନ୍ଦୁଝର ଜିଲ୍ଲା ଗାରିମାର ଗୁଣଗାନ କରିଥିଲେ। ପତାକା ଉତ୍ତୋଳନ ସମୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ କୁମାର ଠାକରେ, କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।