ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ୩୦ ଫୁଟ ଘାଇ, ୮ଟି ଗ୍ରାମ ଜଳମଗ୍ନ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅଧୀନ କୁଆବୁଡ଼ା ପଞ୍ଚାୟତର ଗାଡ଼ୁଭଙ୍ଗା ନିକଟ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ୩୦ ଫୁଟରୁ ଅଧିକ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ୮ଟି ଗ୍ରାମ ଜଳମଗ୍ନ ହେବାସହ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଖବରପାଇ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ବେତନଟୀ ଡ଼ିଭିଜନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। କେନାଲ ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ କିଛି ଦିନ ପୂର୍ବେ କେନାଲରେ ଏକ ଫାଟ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇବା ପରେ କେନାଲରେ ହୋଇଥିବା ଫାଟକୁ ଯେନତେନ ଭାବେ ମରାମତି କରି ଦେଇଥିଲେ। ତେବେ ଗତକାଲି କେନାଲରେ ପାଣି ଛଡ଼ାଯିବା ଫଳରେ ଆଜି ପ୍ରାତଃ ସମୟରେ ଫାଟ ସ୍ଥାନରୁ ପାଣି ଝରି ଘାଇ ସୃଷ୍ଟି ହୋଇଯାଇଥିଲା। ଫଳରେ କେନାଲ ବନ୍ଧ ଦେଇ ଯାଇଥିବା ଏପ୍ରୋଚ ରୋଡ଼ରେ ୩୦ ଫୁଟରୁ ଅଧିକ ଲମ୍ବର ଘାଇ ସୃଷ୍ଟି ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀ ଓ ପରିବାରକୁ ଅବିଲମ୍ବେ ଆର୍ଥିକ ସହାୟତା ଯୋଗାଇ ଦେବା ସାଙ୍ଗକୁ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଘଟଣାର ତଦନ୍ତ ଦାବି କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା।