ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା କେଉଟୁଣୀମାରି ଗ୍ରାମପଞ୍ଚାୟତ ଅଧୀନ ଦରିଆଶୋଳ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଅନ୍ୟ ଏକ ବିଦ୍ୟାଳୟ ସହ ମିଶାଇ ଦେବାକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଆଜି ଏନେଇ ଦୀର୍ଘ ସମୟ ଧରି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଏକ ଘରେ ଅଟକ ରଖିଥିଲେ। ଖବରପାଇ ଚାନ୍ଦୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଅଟକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମୁକ୍ତ କରାଇବା ସମୟରେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ଗ୍ରାମର ୬ ଜଣ ଯୁବକକୁ ଥାନାକୁ ଧରି ନେଇଯାଇଥିଲେ। ପରବର୍ତ୍ତି ସମୟରେ ବାରିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦ ଅଟକ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସାଥୀରେ ଧରି ଫେରୁଥିବା ସମୟରେ ରାସ୍ତାରେ ଗ୍ରାମବାସୀ ୩ଟି ପୁଲିସ ଗାଡ଼ିକୁ ଅଟକ ରଖି ଧାରଣା ଦେଇଥିଲେ। କୁଳିଅଣା ଏବିଓ ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା କାରଣରୁ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଉଥିବା କହିଥିଲେ। ସେହିପରି ସ୍ଥାନୀୟ ଗ୍ରାମବାସୀମାନଙ୍କ କହିବା ଅନୁସାରେ ୧୯୯୭ ମସିହା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ଜମ୍ଭୀରା ବନ୍ଧ ନିର୍ମାଣ ସମୟରେ ଦରିଆଶୋଳ ଗ୍ରାମକୁ ବିସ୍ଥାପିତ କରାଯାଇଥିବା ସମୟରେ ଉକ୍ତ ବିଦ୍ୟାଳୟକୁ ଦରିଆଶୋଳ ଗ୍ରାମବାସୀ ରହୁଥିବା ସ୍ଥାନକୁ ବିସ୍ଥାପିତ କରା ନ ଯିବାରୁ ଏହି ସମସ୍ୟା ଉପୁଜିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ଦ୍ୱାରା ଅଟକ ରଖାଯାଇଥିବା ଗ୍ରାମବାସୀଙ୍କୁ ତୁରନ୍ତ ଛାଡ଼ିଦେବା ସାଙ୍ଗକୁ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦାବିରେ ପୁଲିସ ଗାଡ଼ିକୁ ଅଟକ ରଖିଥିବାର ଗ୍ରାମବାସୀ କହିଥିଲେ।