ମମିତା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଭୁଲିଆ ସମାଜର ଉପଜିଲ୍ଲାପାଳ ଅଫିସ ଘେରାଉ

ପାଟଣାଗଡ଼,ଏନ୍ଏନ୍ଏସ୍: ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ମମିତା ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଓ ତାଙ୍କ ପରିବାରକୁ ୨କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଜି ପାଟଣାଗଡ଼ ଉପଖଣ୍ଡ ଭୁଲିଆ ସମାଜ ତରଫରୁ ସ୍ଥାନୀୟ ଭୁଲିଆ ଧର୍ମଶାଳରୁ ଏକ ର୍ୟାଲିରେ ବାହାରି ସଭାପତି ବୃନ୍ଦାବନ ମେହେରଙ୍କ ନେତୃତ୍ୱରେ ସହସ୍ରାଧିକ ମହିଳା ଓ ପୁରୁଷ ହାତରେ ବିଭିନ୍ନ ପ୍ଲା-କାର୍ଡ ଧରି ଉପଜିଲ୍ଲାପାଲଙ୍କ ଅଫିସରେ ପହଞ୍ଚି ବିକ୍ଷୋଭ କରିଥିଲେ। ଏହି ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକାରୀ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇ ଅଫିସ ତରଫରୁ ଧସେଇ ପସୁଥିବା ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛି ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହୋଇଥିଲା। ପରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ଘଟଣାସ୍ଥଳରେ ପହଞ୍ଚିବା ପରେ ଆନ୍ଦୋଳନକାରୀମାନେ ଶାନ୍ତ ହୋଇଥିଲେ। ସହକାରୀ ଜିଲ୍ଲାପାଳଙ୍କୁ ୩ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ମମିତା ହତ୍ୟା ଘଟଣାରେ ଏସଆଇଟି ଗଠନ କରି ଦୋଷୀଙ୍କ ବିରୁଦ୍ଧରେ କଠୋର ଦଣ୍ଡ ପ୍ରଦାନ କରାଯାଉ ବୋଲି ମଧ୍ୟ ଦାବୀ କରିଥିଲେ। ଏହି ସମୟରେ ଘନଶ୍ୟାମ ମେହେର, ଗୋପାଳ ରାମ ମେହେର, ଅନୀଲ ମେହେର, ଦୀନବନ୍ଧୁ ମେହେର, ବିଜୟ ମେହେର, ନାରାୟଣ ମେହେର, ତେଜତାଜ ମେହେରଙ୍କ ସମେତ ବହୁ ସଂଖ୍ୟକ ମେହେର ସମାଜର କର୍ମକର୍ତ୍ତା ଯୋଗ ଦେଇଥିଲେ।