୩୯ ମହିଳା ଅଫିସରଙ୍କୁ ମିଳିଲା ସ୍ଥାୟୀ କମିଶନ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତୀୟ ସେନାର ୩୯ ମହିଳା ଅଫିସରଙ୍କୁ ସୁପ୍ରିମକୋର୍ଟରେ ଏକ ବଡ଼ ସଫଳତା ମିଳିଛି। ଏହି ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବା ସହ ଏ ସମ୍ବୋଧିତ ଆଦେଶକୁ ଯଥାଶୀଘ୍ର ଜାରି କରିବାକୁ କେନ୍ଦ୍ର ସରକାରକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଏଥିସହିତ ସୁପ୍ରିମକୋର୍ଟ ୨୫ ଅନ୍ୟ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ନ ଦେବା ପଛର କାରଣ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ସୂଚନା ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଶୁଣାଣୀ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଆଡିସନାଲ ସଲିସେଟର ଜେନେରାଲ ସଞ୍ଜୟ ଜୈନ ଓ ବରିଷ୍ଠ ଓକିଲ ଆର ବାଲସୁବ୍ରମଣ୍ୟନ ୭୨ରୁ ଜଣେ ମହିଳା ଅଫିସର ସର୍ଭିସରୁ ରିଲିଜ ହେବାକୁ ଆବେଦନ କରିଥିବା ଜଷ୍ଟିସ ଡୀବାଇ ଚନ୍ଦ୍ରଚୂଡ଼ ଓ ବୀବୀ ନାଗରତ୍ନା ବେଞ୍ଚକୁ କହିଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ୭୧ ମହିଳାଙ୍କ ଉପରେ ପୁର୍ନବିଚାର କରିଥିଲେ। ସେଥିମଧ୍ୟରୁ ୩୯ଜଣ ସ୍ଥାୟୀ କମିଶନ ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ।