ପାଟଣାଗଡ଼,ଏନ୍ଏନ୍ଏସ୍: ଚାଷୀଙ୍କ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ଆଜି ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜଖମାରଠାରୁ ସହସ୍ରାଧିକ ଚାଷୀଙ୍କ ଗହଣରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଳଦ ଗାଡ଼ିରେ ବସି ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଉପଜିଲ୍ଲାପାଳ ଅଫିସକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିଲେ। ପ୍ରମାଣ ସହ କାଗଜ ପତ୍ର ଦେଖାଇବା ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଚାଷୀଙ୍କ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି। ଆସନ୍ତା ୧ ତାରିଖ ସୁଦ୍ଧା ବାକି ରହିଥିବା ଟୋକନ ଦେବା ସହ ୭ ଦିନ ମଧ୍ୟରେ ଧାନ ଉଠାଯିବ ବୋଲି ଉପଜିଲ୍ଲାପାଳ ଧାରଣାସ୍ଥଳକୁ ଆସି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘେରାଉ ସମୟରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ, ମାଧବ ସାଏ. ଜୟନ୍ତ କୁମ୍ଭାର, କରମ ସରାଫ. ନୀଳ ପାଣିଗ୍ରାହୀଙ୍କ ସମେତ ପାଟଣାଗଡ଼ ଖପ୍ରାଖୋଲ, ବେଳପଡ଼ା ବ୍ଲକର ସମସ୍ତ ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ହଜାର ହଜାର ଚାଷୀ ଯୋଗ ଦେଇଥିଲେ।