ବଜ୍ରକାପ୍ତା ଉଦ୍ଧାର ସମୟରେ ବନ କର୍ମଚାରୀଙ୍କୁ ଆକମ୍ରଣ: ବନାଞ୍ଚଳ ଅଧିକାରୀଙ୍କ ସମେତ ୮ ଆହତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗ୍ରାମରେ ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇଥିବା ବନ ବିଭାଗ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମର ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ବଜ୍ରକାପ୍ତା ଥିବା ଖବର ପାଇ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ୧୫ଜଣ ବନ ବିଭାଗ କର୍ମଚାରୀ ନାମକୋଣ୍ଡା ଗ୍ରାମରେ ବଜ୍ରକାପ୍ତାଟିକୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ। ତେବେ ବନ ବିଭାଗର କର୍ମଚାରୀ ବଜ୍ରକାପ୍ତାଟିକୁ ଉଦ୍ଧାର କରି ନେଇ ଆସୁଥିବା ବେଳେ ଗାଁର ପ୍ରାୟ ୨୦ରୁ ଉର୍ଦ୍ଧ ଲୋକ ଠେଙ୍ଗା, ଟାଙ୍ଗିଆ ଓ ପଥରରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ସମେତ ୮ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କ ନିକଟରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟି ମଧ୍ୟ ଖସି ଯାଇଥିଲା । ରେଞ୍ଜର ଉକ୍ତ ଘଟଣାରେ ଲୋହୁଲୁହାଣ ହୋଇ ମାଲକାନଗିରି ଡିଏଫଓଙ୍କୁ ସମସ୍ତ ତଥ୍ୟ ଦେବା ସହ ମାଲକାନଗିରି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମାଲକାନଗିରି ପୁଲିସ ତରଫରୁ ଏକ ଟିମ୍ ଓ ବନ ବିଭାଗର ମଧ୍ୟ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ ଜାରି ରଖିଛନ୍ତି। ତେବେ ପୂର୍ବରୁ ମଧ୍ୟ ବନ କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିବାବେଳେ ଆଜିର ଏହି ଘଟଣା ପରେ ଅନ୍ୟ ବନ କର୍ମଚାରୀମାନେ ସେମାନଙ୍କ ଆତ୍ମରକ୍ଷା ନିମନ୍ତେ କିଛି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଫଳରେ ବନ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ସହ ଜଙ୍ଗଲ ଓ ପଶୁପକ୍ଷୀଙ୍କୁ ସୁରକ୍ଷା ଯୋଗାଇପାରିବେ ।